ଏସିଆ କପ୍ ୨୦୨୩ : ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍ରେ ହରାଇଲା ଭାରତ, ଜିତିଲା ୮ମ ଟାଇଟଲ୍
କଲୋମ୍ବୋ : ଏସିଆ କପ୍ ଟାଇଟଲ ଜିତିଲା ଭାରତ । ଏସିଆ କପ୍ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦେଇଥିବା ୫୦ ରନର ଟାର୍ଗେଟକୁ ସହଜରେ ପୂରଣ କରିଛନ୍ତି ଭାରତୀୟ ଟିମର ଦୁଇ ଓପନିଂ ବ୍ୟାଟର । ଶୁବମନ ଗିଲ୍ ଏବଂ ଈଶାନ କିଶନ ଦୁହେଁ ମାତ୍ର ୬.୧ ଓଭରରେ ୫୧ ରନ୍ କରି ଏସିଆ କପ୍ ଟାଇଟଲକୁ ସହଜରେ ହାତେଇଛି । ଭାରତ ପକ୍ଷରୁ ଇଶାନ କିଷନ ୧୮ ବଲ୍ରୁ ୩ ଚୌକା ସହ ୨୩ ଓ ଶୁଭମନ ଗିଲ୍ ୧୯ ବଲ୍ରୁ ୬ ଚୌକା ଜରିଆରେ ୨୭ ରନ କରି ଅପରାଜିତ ରହିଛନ୍ତି। ଗିଲ୍ ବିଜୟ ସୂଚକ ରନ କରିଛନ୍ତି। ତେବେ ମ୍ୟାଚର ପ୍ରକୃତ ହିରୋ ଥିଲେ ମହମ୍ମଦ ସିରାଜ । ଘାତକ ବୋଲିଂ କରି ସେ ଭାରତୀୟ ବ୍ୟାଟ୍ସମାନଙ୍କ ପାଇଁ ସ୍ଥିତିକୁ ସହଜ କରିଦେଇଥିଲେ । ସେ ୨୧ ରନ ଦେଇ ୬ଟି ଓ୍ବିକେଟ ନେଇଥିଲେ । ଭାରତ ପୂର୍ବରୁ ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଏସିଆ କପ୍ ଚାମ୍ପିଅନ ହୋଇଥିଲା । ଆଜିର ବିଜୟକୁ ମିଶାଇ ଭାରତ ମୋଟ ୮ଥର ଚାମ୍ପିଅନ ହୋଇଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ସ୍ଵପ୍ନରେ ସୁଦ୍ଧା ଭାବି ନ ଥିବ ଯେ ଆଜିର ଦିନଟି ସେମାନଙ୍କ ପାଇଁ ଏମିତି ରହିବ। ଦଳ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଲା ଯେ, ଆଉ ଉଠି ପାରି ନ ଥିଲ। ଦଳୀୟ ସ୍କୋର ୧ ରନରେ କୁଶଲ ପେରେରା(୦) ବୁମରାଙ୍କ ଶିକାର ହୋଇଥିଲେ। ଏହା ପରେ ମହମ୍ମଦ ସିରାଜଙ୍କ ଝଡ଼ରେ ବୋହିଥିଲା ଶ୍ରୀଲଙ୍କା। ପଥୁନ ନିଶଙ୍କା(୨), ସଦିରା ବିକ୍ରମା(୦), ଚରିଥ ଅସଲଙ୍କା(୦), ଧନଞ୍ଜୟ ଡି ସିଲଭା(୪) ଓ ଦସୁନ ଶନାଙ୍କା(୦) ସିରାଜଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ପାଭିଲିୟନ ଫେରିଥିଲେ। ଇନିଂସର ଚତୁର୍ଥ ଓଭରରେ ହିଁ ମହମ୍ମଦ ସିରାଜ ୪ ବ୍ୟାଟରଙ୍କୁ ଆଉଟ୍ କରି ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଏହିପରି ୧୨ ରନରେ ୬ ଓ୍ଵିକେଟ୍ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। କୁଶଲ ମେଣ୍ଡିସ କିଛି ସମୟ କ୍ରିଜରେ ତିଷ୍ଠିବାକୁ ଚେଷ୍ଟା କରିଥିଲେ ହେଁ ସିରାଜଙ୍କ ବଲରେ ବୋଲ୍ଡ ହୋଇଥିଲେ। ସେ ୧୭ ରନ କରି ଆଉଟ୍ ହୋଇଥିଲେ। ଦୁନିଥ ଓ୍ଵେଲଲାଗେ(୮) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଶେଷ ୨ଟି ଓ୍ଵିକେଟ୍ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ ସ୍କୋରରେ ଶ୍ରୀଲଙ୍କାର ଇନିଂସର ଅନ୍ତ ଘଟାଇଥିଲେ। ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ନିଜର ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ କରି ୨୧ ରନ ଦେଇ ୬ଟି ସଫଳତା ପାଇଛନ୍ତି। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ ଦେଇ ୩ଟି ଓ୍ଵିକେଟ୍ ଓ ଯଶପ୍ରୀତ ବୁମରା ୨୩ ରନରେ ଗୋଟିଏ ଓ୍ଵିକେଟ୍ ପାଇଛନ୍ତି। ଦ୍ରୁତ ବୋଲର ହିଁ ସମସ୍ତ ଓ୍ଵିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ।