ମହାପ୍ରଭୁଙ୍କ ରତ୍ନ ସିଂହାସନରେ ହେବ ଲେଜର ସ୍କାନିଂ
ପୁରୀ : ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହେବ । ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନ ସିଂହାସନର ଡକ୍ୟୁମେେଂଟସନ କରାଯିବ । ଲେଜର ସ୍କାନିଂ ସହ ଏହାକୁ ରେକର୍ଡ କରି ସାଇତାଯିବ । ଏହି କାର୍ଯ୍ୟ ସମ୍ପାଦନ ପାଇଁ କେତେ ସମୟ ଲାଗିବ ଏବଂ କ’ଣ ଆହ୍ୱାନ ରହିବ, ସେ ବିଷୟ ଆଲୋଚନା ହୋଇଛି । ରତ୍ନ ସିଂହାସନରୁ ପଥର ଗାଏବ ହେବା ନେଇ ଚର୍ଚ୍ଚା ହୋଇଥିବାବେଳେ ଗତ ବର୍ଷ ଏହାକୁ ଗୁରୁତ୍ୱର ସହ ନେଇ ଏହାର ଡକ୍ୟୁମେେଂଟସନ କରାଯିବା ଲାଗି ନିଷ୍ପତି ନିଆଯାଇଥିଲା । ଫଳସ୍ୱରୂପ ଗତ ମାସରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ଏକ ବେଠକ ହୋଇ ଏହି ନିଷ୍ପତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ, ଲେଜର ସ୍କାନିଂ ଓ ଡକ୍ୟୁମେେଂଟସନ ପୂର୍ବରୁ ଏହାର ଉଦ୍ଦେଶ୍ୟ ଓ ଆବଶ୍ୟକତା ବାବଦରେ ଛତିଶା ନିଯୋଗର ସେବାୟତଙ୍କ ସହ ଆସନ୍ତା ବେଠକରେ ଆଲୋଚନା କରାଯିବ । ମନ୍ଦିର ପ୍ରଶାସନର ଅନୁମତି ପରେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଏକ ଦକ୍ଷ ଏଜେନ୍ସିକୁ ଏହି ଦାୟିତ୍ୱ ଦିଆଯିବ ।
ସେବାୟତଙ୍କର ଗୋଟିଏ ଦଳ ପ୍ରଶାସନ ପକ୍ଷରୁ ଚୟନ କରାଯିବ । ସର୍ବେକ୍ଷଣ ଓ ମରାମତି ବେଳେ ଏହି ଦଳ ଉପସ୍ଥିତ ରହିବା ସହ ଯୋଗସୂତ୍ର ରକ୍ଷା କରିବେ । ଏହାବ୍ୟତୀତ ଗର୍ଭଗୃହ ଓ ଜଗମୋହନ ମଧ୍ୟରେ ପାଣି ପ୍ରବେଶ କରୁଥିବାରୁ ଏହାର ସମାଧାନ ପାଇଁ ଏଏସ୍ଆଇ କାମ ଆରମ୍ଭ କରିବ । ଗର୍ଭଗୃହର ଚଟାଣ କାନ୍ଥ ଦୁର୍ବଳ ଥିବାନେଇ ଗତବର୍ଷ ନମୁନା ସଂଗ୍ରହ କରାଯାଇ ଲାବ୍କୁ ପଠାଯାଇଥିଲା । ମାତ୍ର ଏହି ରିପୋର୍ଟ ଏପର୍ଯ୍ୟନ୍ତ ଆସିପାରିନାହିଁ । ତେଣୁ ଏଏସ୍ଆଇ ଟିମ୍ ଲାବ୍ ସହ ଯୋଗାଯୋଗ ଭିତିରେ ଆସନ୍ତା କିଛିଦିନ ମଧ୍ୟରେ ରିପୋର୍ଟ ଆଣିବା ସହ ଆସନ୍ତା ବେଠକରେ ଏହାର ସମାଧାନ ନେଇ ମତ ରଖିବ । ପ୍ରଥମ ର୍ଫ୍ଲୋରେ ଆର୍ଦ୍ରତା ବେଶି ରହୁଥିବାରୁ ଏଏସ୍ଆଇ ଟିମ୍ ପୂର୍ବରୁ ଏଠାର ଆର୍ଦ୍ରତା ସମ୍ପର୍କରେ ରଖିଥିବା ତଥ୍ୟ ସହ ଚଳିତ ବର୍ଷର ଆର୍ଦ୍ରତାର ପରିମାଣର ତଥ୍ୟ ଜଣାଇବା ପରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୂର୍ତ ବିଭାଗ ମିଳିତ ଭାବେ ବଜ୍ରପାତ ନିରୋଧକ ଓ ନିଷ୍କାସନ ପଙ୍ଖାର ସ୍ଥିତି ପରଖିବା ସହ ପରବର୍ତୀ ପଦକ୍ଷେପ ନେବେ । ଗର୍ଭଗୃହକୁ ପବନ ଚଳାଚଳ ପାଇଁ ଏଏସ୍ଆଇ ପକ୍ଷରୁ ଆବଶ୍ୟକ କାମ କରାଯିବ । ଗର୍ଭଗୃହରେ କେବଳ ରଥ ୯ ଦିନ କାମ କରିବାର ସୁଯୋଗ ମିଳୁଥିବାରୁ ଏଏସ୍ଆଇ ଏହା ମଧ୍ୟରେ କାନ୍ଥ, ରୁପା ଦ୍ୱାର, କଳାହାଟ ଦ୍ୱାର, ଦ୍ୱାର ସ୍ତମ୍ଭଗୁଡ଼ିକୁ ରସାୟନ ସଫେଇ କରିବ । ଜଗମୋହନର ସ୍ଲୋପିଂ ଛାତର ପଥର ସ୍ଥିତି ଅନୁଧ୍ୟାନ କରି ଏ ଦିଗରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ କୋର କମିଟି ସହ ପରାମର୍ଶ କରି ଆସନ୍ତା ବେଠକରେ ଏଏସ୍ଆଇକୁ ଜଣାଇବାକୁ କୁହାଯାଇଛି । ଏପ୍ରିଲ୍ରେ ସେଂଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଦେଇଥିବା ରିପୋର୍ଟ ର୍କୋ କମିଟି ଦ୍ୱାରା ପରୀକ୍ଷାନୀରିକ୍ଷା କରାଯାଇ ଦୁର୍ବଳ ପଥର ବିମ୍ ଉପରୁ ଚାପ ହଟାଇବାକୁ ନିଷ୍ପତି ହୋଇଛି । ନାଟମଣ୍ଡପର ଦକ୍ଷିଣ ପଶ୍ଚିମ ଓ ଉତର ପଶ୍ଚିମ କୋଣରେ କିଛି ସ୍ଥାନରେ ଫାଟ ଦେଖାଯାଇଥିବା ବେଳେ ଏଏସ୍ଆଇ ଟିମ୍ ଏହାର ପରୀକ୍ଷା ନୀରିକ୍ଷା କରି ଏହାର ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ନାଟମଣ୍ଡପର ପୂର୍ବ ପାର୍ଶ୍ୱରେ ପଥର ବିମ୍ରେ ଫାଟ ଚିହ୍ନ ଥିବାରୁ ଏ ସଂକ୍ରାନ୍ତରେ ଆଇଆଇଟି ମାଡ୍ରାସର ରିପୋର୍ଟକୁ ର୍କୋ କମିଟି ଦ୍ୱାରା ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । ସେହିଭଳି ଭୋଗମଣ୍ଡପରେ କିଛି ଯୋଡ଼େଇ ପଥରକୁ ସ୍ଥାନାନ୍ତର କରାଯିବ । ଭୋଗମଣ୍ଡପ ଓ ରୋଷଘରର ଖରାପ ହୋଇଯାଇଥିବା ଚଟାଣ ପଥରକୁ କଢ଼ାଯାଇ ନୂଆ ପଥର ବସାଯିବ । ଏହା ମଧ୍ୟରେ ନାଳ ବ୍ୟବସ୍ଥାକୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସୁବ୍ୟବସ୍ଥିତ କରାଯିବ । ଏନେଇ କେତେ ଖଣ୍ଡୋଲାଇଟ୍ ପଥର ଆବଶ୍ୟକ ସେ ସମ୍ପର୍କରେ ଏଏସ୍ଆଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଜଣାଇବା ପାଇଁ କୁହାଯାଇଛି ।