ପୃଥ୍ଵୀଙ୍କୁ ଟେଷ୍ଟ ଦଳରେ ସାମିଲ କରାଇବା ଉପରେ ଆପତ୍ତି ପ୍ରକାଶକଲେ ପୂର୍ବତନ ଅଧିନାୟକ କପିଲ ଦେବ
ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ଶୁବମାନ ଗିଲ୍ ଆହତ ହେବା ଭାରତର ଚିନ୍ତା ବଢାଇ ଦେଇଛି। ପାଦର ନିମ୍ନ ଭାଗରେ ଗୁରୁତର ଆହତ କାରଣରୁ ଗିଲ୍ ପୂରା ସିରିଜ୍ରୁ ବାଦ୍ ପଡି ପାରନ୍ତି। ଏବେ ଦଳ ପ୍ରବନ୍ଧକ ତାଙ୍କ ସ୍ଥାନରେ ଓପନିଂ ଭାବେ କାହାକୁ ସୁଯୋଗ ଦେବେ ତାକୁ ନେଇ ବିଚାର ବିମର୍ଶ ଚଳାଇଛନ୍ତି। ଗିଲ୍ଙ୍କ ସ୍ଥାନରେ ଓପନିଂ ଭାବେ ଦଳରେ ବର୍ତ୍ତମାନ ମୟଙ୍କ ଅଗ୍ରଓ୍ଵାଲ ଓ କେଏଲ ରାହୁଲଙ୍କ ପରି ଖେଳାଳି ଅଛନ୍ତି। ହେଲେ ଦଳ ପ୍ରବନ୍ଧକ ପୃଥ୍ଵୀ ସଙ୍କୁ ଡକାଇବା ଉଦ୍ଦେଶ୍ୟରେ ଅଛନ୍ତି। ସଙ୍କୁ ଟେଷ୍ଟ ଦଳରେ ସାମିଲ କରାଇବା ଚର୍ଚ୍ଚା ଉପରେ ପୂର୍ବତନ ଅଧିନାୟକ କପିଲ ଦେବ ଆପତ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି ସଙ୍କୁ ଇଂଲଣ୍ଡ ଡକାଯାଏ ତେବେ ଦଳରେ ଥିବା ବାକି ଖେଳାଳିଙ୍କ ପ୍ରତି ଅସମ୍ମାନ ହେବ।
ଏବିପି ନ୍ୟୁଜ୍ ସହ ଆଲୋଚନା ବେଳେ କପିଲ୍ ଦେବ କହିଛନ୍ତି, ସଙ୍କୁ ଇଂଲଣ୍ଡ ଡକାଇବାର କୌଣସି ଆବଶ୍ୟକତା ନାହିଁ। ଚୟନକର୍ତ୍ତାଙ୍କର କିଛି ଇଜ୍ଜତ ରହିବା ଉଚିତ୍। ସେମାନେ ମଧ୍ୟ ଏକ ଦଳ ଚୟନ କରିଛନ୍ତି ଏବଂ ମୁଁ ଏହା ନିଶ୍ଚିତ ଯେ, ଏସବୁ କୋହଲି ଓ ରବି ଶାସ୍ତ୍ରୀଙ୍କ ବିନା ହୋଇନଥିବ। ଆପଣଙ୍କ ପାଖରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଭାବେ ଦୁଇ ଜଣ ବଡ ଓପନର ଅଛନ୍ତି। କଣ ଆପଣଙ୍କୁ ବାସ୍ତବରେ ତୃତୀୟ ବିକଳ୍ପ ଦରକାର ? ମୋତେ ଦଳ ପ୍ରବନ୍ଧକଙ୍କ ଏପରି ଆଭିମୁଖ୍ୟ ପସନ୍ଦ ନୁହେଁ। ଚୟନକର୍ତ୍ତା ଯେଉଁ ଦଳ ଚୟନ କରିଛନ୍ତି, ସେଥିରେ ଥିବା ଓପନିଂ ଖେଳାଳିଙ୍କୁ ପ୍ରଥମେ ସୁଯୋଗ ମିଳିବା ଉଚିତ୍। ନଚେତ୍ ଏହା ଦଳରେ ଥିବା ଖେଳାଳିଙ୍କ ପ୍ରତି ଘୋର ଅସମ୍ମାନ ହେବ। କପିଲ ଦେବ କହିଛନ୍ତି, ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ବିନା ଦଳ ଚୟନ ଅସମ୍ଭବ। ଉଭୟଙ୍କୁ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରିବା ଉଚିତ୍। ବର୍ତ୍ତମାନ ଦଳରେ ଥିବା ଖେଳାଳିଙ୍କୁ ଓପନିଂ ଭାବେ ସୁଯୋଗ ଦେବା ଉଚିତ୍। ୧୯୮୩ ବିଶ୍ଵ କପର ବିଜେତା କହିଛନ୍ତି, ଆଉ ଜଣେ ଓପନରଙ୍କୁ ଯୋଡିଲେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଆତ୍ମ ବିଶ୍ଵାସ ଉପରେ କୁପ୍ରଭାବ ପଡିବ ବୋଲି କପିଲ ଦେବ କହିଛନ୍ତି।