ସେପ୍ଟେମ୍ବରରେ ରାଜ୍ୟକୁ ବର୍ଷା ଫେରିବା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷା ହୋଇଛି । ବର୍ଷା ଉଭାନ ହୋଇଯାଇଥିବାରୁ ପ୍ରବଳ ଖରା ହେଉଛି । ଗରମ ଓ ଗୁଳୁଗୁଳିରେ ଲୋକେ ଅତିଷ୍ଠ ହେଉଛନ୍ତି। ରାଜ୍ୟର ୧୧ଟି ଜିଲ୍ଲାରେ ନିଅଣ୍ଟିଆ ମୌସୁମୀ ବର୍ଷା ଚାଷୀ ଓ ଚାଷ କାମ ପାଇଁ ସଙ୍କଟ ସୃଷ୍ଟି କରିଛି। ସେପ୍ଟେମ୍ବର ମାସରେ ଭଲ ବର୍ଷା ନହେଲେ ୧୧ଟି ଜିଲ୍ଲାରେ ସ୍ଥିତି ଆହୁରି ବିଗିଡିଯିବା ଆଶଙ୍କା ରହିଛି। ଏଣେ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବା ସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଣେ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟକୁ ପୁଣି ବର୍ଷା ଫେରିବା ଆଶା ରହିଛି।
ସୂଚନା ଯେ, ୧୯୦୧ ମସିହା ପରେ ଭାରତରେ ଚଳିତ ବର୍ଷ ଅଗଷ୍ଟ ସବୁଠୁ ଶୁଷ୍କ ମାସ ପାଲଟିଛି । ତୀବ୍ର ଏଲ୍ ନିନୋ ସ୍ଥିତି ଏହାର ମୁଖ୍ୟ କାରଣ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଏହାଛଡ଼ା ଚଳିତ ବର୍ଷର ମୌସୁମୀ ୨୦୧୫ ମସିହା ପରଠୁ ସବୁଠାରୁ ଦୁର୍ବଳ ହୋଇପାରେ । ଚଳିତ ଥର ବୃଷ୍ଟିପାତ ୧୩ ପ୍ରତିଶତ ହ୍ରାସ ପାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି । ୧୯୦୧ ପରେ ଭାରତରେ ଅଗଷ୍ଟରେ ସବୁଠୁ କମ୍ ବର୍ଷା ହୋଇଛି। ଅଗଷ୍ଟରେ ଏପର୍ଯ୍ୟନ୍ତ ୩୨% କମ୍ ବର୍ଷା ହୋଇଛି। ଆସନ୍ତା ତିନି ଦିନ ମଧ୍ୟରେ ବି ଦେଶରେ ବଡ଼ ବର୍ଷାର ସମ୍ଭାବନା ନାହିଁ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଅଧିକାରୀ କହିଛନ୍ତି। ଫଳରେ ଅଗଷ୍ଟ ନିଅଣ୍ଟିଆ ବର୍ଷା ଦୃଷ୍ଟିରୁ ରେକର୍ଡ କରିବାକୁ ଯାଉଛି। ଅଗଷ୍ଟରେ ସାଧାରଣତଃ ୨୫୪.୯ ମିଲିମିଟର ବର୍ଷା ହୋଇଥାଏ, ଯାହା ମୌସୁମୀ ସମୟରେ ମୋଟ ବୃଷ୍ଟିପାତର ପ୍ରାୟ ୩୦ ପ୍ରତିଶତ ।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୦୦୫ରେ ଭାରତରେ ୨୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୯୬୫ରେ ୨୪.୬ ପ୍ରତିଶତ; ୧୯୨୦ରେ ୨୪.୪ ପ୍ରତିଶତ; ୨୦୦୯ରେ ୨୪.୧ ପ୍ରତିଶତ ଏବଂ ୧୯୧୩ରେ ୨୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିଲା।
ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଅଗଷ୍ଟରେ ନିଅଣ୍ଟିଆ ବୃଷ୍ଟିପାତର ମୁଖ୍ୟ କାରଣ ହେଉଛି ଏଲ୍ ନିନୋ (ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗରରେ ଜଳ ଉତ୍ତାପ ବଢ଼ିବା) ବ୍ୟତୀତ ‘ମ୍ୟାଡେନ୍ ଜୁଲିୟାନ୍ ଓସିଲେସନ୍’ (ଏମଜେଓ) ର ଅନୁକୂଳ ପର୍ଯ୍ୟାୟ। ଏମଜେଓ ହେଉଛି ଏକ ମହାସାଗରୀୟ-ବାୟୁମଣ୍ଡଳୀୟ ସ୍ଥିତି ଯାହା ସମଗ୍ର ବିଶ୍ୱରେ ପାଣିପାଗ ଗତିବିଧିକୁ ପ୍ରଭାବିତ କରିଥାଏ | ଏଲ୍ ନିନୋ ସାଧାରଣତଃ ଦୁର୍ବଳ ମୌସୁମୀ ବାୟୁ ଏବଂ ଭାରତ ଉପରେ ଶୁଷ୍କ ବାୟୁମଣ୍ଡଳ ସହ ଜଡ଼ିତ ।