ପତ୍ନୀକୁ ଭରଣପୋଷଣ ବାବଦ ଅର୍ଥ ଦେବାରେ ଅସମର୍ଥ ସ୍ୱାମୀଙ୍କୁ ଜେଲ୍ରେ ରଖ : ହାଇକୋର୍ଟ
କଟକ : ପତ୍ନୀକୁ ଭରଣପୋଷଣ ବାବଦ ଅର୍ଥ ଦେବାରେ ଅସମର୍ଥ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଥିବା ସ୍ୱାମୀଙ୍କୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରି ସ୍ୱାମୀ ହାଜତରୁ ଯିବାରୁ ବର୍ତ୍ତିଛନ୍ତି। ସ୍ୱାମୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ତାଙ୍କର କିଛି ରୋଜଗାର ନାହିଁ। ସେ ବେକାର ହୋଇଥିବାରୁ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପତ୍ନୀଙ୍କୁ ମାସିକ ୧୭୧୬ ଟଙ୍କା ଦେବାକୁ ଅସମର୍ଥ। ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ବିବାହକୁ ସ୍ୱୀକାର କରିବା ସହିତ ସ୍ୱାମୀଙ୍କ ପକ୍ଷରୁ ଭରଣପୋଷଣ ବାବଦ ଅର୍ଥ ଦେବାକୁ ସେ ଅସମର୍ଥ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ହାଇକୋର୍ଟ ମାମଲାର ଶୁଣାଣି କରି ପତ୍ନୀଙ୍କୁ ସର୍ବନିମ୍ନ ଭରଣପୋଷଣ ଅର୍ଥ ଦେବାକୁ ଅସମର୍ଥ ସ୍ୱାମୀଙ୍କୁ କାରାଗାରରେ ରଖାଯାଇ କାମରେ ନିୟୋଜିତ କରାଯାଉ ବୋଲି କହିଥିଲେ। ହାଜତରେ ରହି ସ୍ୱାମୀ କରିବାକୁ ଥିବା କାମର ଆକଳନ କରାଯିବ। ଏ ବାବଦରେ ସ୍ୱାମୀ ରୋଜଗାର କରିବାକୁ ଥିବା ଅର୍ଥକୁ ପତ୍ନୀଙ୍କୁ ଜୀବିକା ନିର୍ବାହ ପାଇଁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଥିଲେ। ଏଭଳି ସ୍ଥିତିରେ ସ୍ବାମୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦର୍ଶାଇଥିଲେ ଯେ ଆବେଦନକାରୀଙ୍କୁ ହାଇକୋର୍ଟରୁ ଏହି ମାମଲା ପ୍ରତ୍ୟାହାର ପାଇଁ ଅନୁମତି ଦିଆଯାଉ। ପତ୍ନୀଙ୍କୁ ମାସିକ ୧,୭୧୬ ଟଙ୍କା ଆବେଦନକାରୀ ପ୍ରଦାନ କରିବାକୁ ପ୍ରତଶ୍ରୁତି ଦେଉଛନ୍ତି। ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ ଆବେଦନ ପ୍ରତ୍ୟାହାର ପାଇଁ ହାଇକୋର୍ଟ ଅନୁମତି ଦେବା ସହ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇ ଏହାକୁ ଖାରଜ କରିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭରଣପୋଷଣ ବାବଦରେ ପତ୍ନୀଙ୍କୁ ମାସିକ ୧୭୧୬ ଟଙ୍କା ଦେବାକୁ ନିମ୍ନ ଅଦାଲତ ଆବେଦନକାରୀ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।