ବାଲେଶ୍ୱର : ବାସି ପିଠା ଖାଇ ୫ ଛାତ୍ର ଅସୁସ୍ଥ, ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନସ୍ତ ଧୋବଶିଳା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ବାସି ପିଠା ଖାଇ ୫ ଛାତ୍ର ଅସୁସ୍ଥ । ପରେ ଡାକ୍ତରଖାନାରେ ଭର୍ତ୍ତି । ଏନେଇ ଅଭିଭାବକଙ୍କ ପକ୍ଷରୁ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖା ଦେବା ସହ ଫାଟକରେ ତାଲା ପକାଇ ଦେଇଥିଲେ । ନୀଳଗିରି ଥାନା ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ସୂଚନା ଯେ, ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ବିଦ୍ୟାଳୟର ସୁଫଳା ନାୟକ ନାମକ ଜଣେ ଶିକ୍ଷୟତ୍ରୀ ଛାତ୍ରମାନଙ୍କୁ ପିଠା ଖାଇବାକୁ ଦେଇଥିଲେ । ଫଳରେ ଛାତ୍ରମାନେ ଉକ୍ତ ପିଠାକୁ ଖାଇବା ପରେ ସେମାନଙ୍କର ମୁଣ୍ଡ ବୁଲାଇବା ସହିତ, ବାନ୍ତି ଓ ପେଟ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା । ଛାତ୍ରମାନେ କଷ୍ଟରେ ଛଟପଟ ହୋଇଥିଲେ ମଧ୍ୟ ଶିକ୍ଷୟତ୍ରୀ କିମ୍ବା ଶିକ୍ଷକ କେହି ଡାକ୍ତରଖାନାକୁ ନେଇନଥିଲେ । ବିଦ୍ୟାଳୟ ପକ୍ଷରୁ ଅଭିଭାବକମାନଙ୍କୁ ଅବଗତ କରାଯାଇଥିଲା । ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଛାତ୍ରମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଅସୁସ୍ଥ ଛାତ୍ରମାନେ ଷଷ୍ଠ ଶ୍ରେଣୀର ଗଣେଷ ସିଂ, ଦୀପକ ସିଂ, ଗୌତମ ସାମଲ, ଆନନ୍ଦ ବିନ୍ଧାଣୀ, ସୁମନ ନାୟକ ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଅଭିଭାବକମାନେ ବିଦ୍ୟାଳୟରେ ରହି ମଧ୍ୟାହ୍ନ ଭୋଜନ ବଦଳରେ ପିଲାଙ୍କୁ କାହିଁକି ପିଠା ଖାଇବାକୁ ଦିଆଯାଇଥିଲା ପ୍ରଶ୍ନ କରିବା ସହ ଉତ୍ତେଜନା ଦେଖାଦେଇଥିଲା । ଫଳରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ । ଖବରପାଇ ନୀଳଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ । ପରିସ୍ଥିତ ଶାନ୍ତ ହେବା ପରେ ଅଭିଭାବକମାନେ ଫାଟକରେ ପକାଇଥିବା ତାଲା ଖୋଲି ଦେଇଥିଲେ । ଏ ସମ୍ପର୍କରେ ଶିକ୍ଷୟିତ୍ରୀ ସୁଫଳା ନାୟକଙ୍କୁ ପଚାରିବାରୁ ସେ ପିଠା ଦେଇନାହାନ୍ତି ବୋଲି କହିଛନ୍ତି ।