ବାଲେଶ୍ୱର : ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶିକ୍ଷା ବଞ୍ଚାଓ କମିଟି, ସ୍କୁଲ ସୁରକ୍ଷା କମିଟି ଓ ଡିଏସ୍ଓ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ହୋଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ଅବିଳମ୍ବେ ଖୋଲାଯାଇ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଆରମ୍ଭ କରିବା ଦାବି ନେଇ ବୁଧବାର ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଭୋଗରାଇରେ ଅଦ୍ୟାବଧି ବନ୍ଦ ଥିବା ବାରବାଟିଆ ଆଦିବାସୀ ପ୍ରାଥମିକ ବିଦ୍ୟାଳୟ, ଘଣ୍ଟିଲୋଡ଼ି ପ୍ରାଥମିକ ବିଦ୍ୟାଳୟ, ଖଳାବାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ବାଉଁଶଖଣା ପ୍ରାଥମିକ ବିଦ୍ୟାଳୟ ସହ ୯ଟି ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର, ଅବିଭାବକମାନେ ପ୍ରଚଣ୍ଡ ଖରାରେ ଥାନାଛକରୁ ଶୋଭାଯାତ୍ରାରେ ବାହାରି ସ୍କୁଲ ଖୋଲିବା ଆମର ଦାବି, ନ୍ୟାର୍ଯ୍ୟ ଦାବି ସରକାର ତୁମେ ମାନିନିଅ ସ୍ଲୋଗାନ ଓ ହାତରେ ପ୍ଲାକାର୍ଡ଼ ଧରି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଦୀର୍ଘ ସମୟ ବିକ୍ଷୋଭ ପ୍ରଦର୍ଶନ ପରେ ଡିଏସ୍ଓର ଜିଲା ସଭାପତି ହରେକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା ।
ପ୍ରତିବାଦ ସଭାରେ ଜିଲା ଡିଏସଓ ର ସମ୍ପାଦକ ପ୍ରଶାନ୍ତ ଦାସ, ଡିଏସ୍ଓ କେନ୍ଦ୍ରୀୟ କମିଟି ସଦସ୍ୟ କ୍ରିଷ୍ଣରାଣୀ ସାହୁ, ଶିକ୍ଷା ବଞ୍ଚାଓ କମିଟିର ସଦସ୍ୟ ସସ୍ମିତା ମହାନ୍ତି, ଛାତ୍ରନେତା ଆସମାନ ରାଜ, ସ୍କୁଲ ସୁରକ୍ଷା କମିଟିର ସଦସ୍ୟ ଶ୍ୟାମସୁନ୍ଦର ହାଁସଦା, ସାମରାଇ ମୁର୍ମୁ, ରତନ ସୋରେନ, ସୀତା ମୁର୍ମୁ ପ୍ରମୁଖ ବନ୍ଦ ହୋଇ ପଡ଼ିଥିବା ପ୍ରାଥମିକ ବିଦ୍ୟାଳୟକୁ ଅବିଳମ୍ବେ ରାଜ୍ୟ ସରକାର ଖୋଲି ଶୈକ୍ଷିକତା ବାତାବରଣ ଫେରାଇ ନ ଆଣିଲେ ବ୍ୟାପକ ଗଣ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରୀମାନେ ଚେତାବନୀ ଦେଇଥିଲେ । ପରେ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି ଆନ୍ଦୋଳନ ସ୍ଥଗିତ ରଖିଥିଲେ ।