ଜହ୍ନ ଆଉ ଅଳ୍ପ ଦୂର ! ବୁଧବାର ସନ୍ଧ୍ୟାରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩, ସାରା ବିଶ୍ୱ ରଖିଛି ନଜର
ନୂଆଦିଲ୍ଲୀ : ଜହ୍ନ ଆଉ ଅଳ୍ପ ଦୂର । ଆଉ ଦିନକ ପରେ (ବୁଧବାର ସନ୍ଧ୍ୟାରେ) ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ-୩ । ରୁଷର ମୁନ୍ ମିଶନ ଫେଲ୍ ମାରିବା ପରେ ଭାରତର ଚନ୍ଦ୍ର ଅଭିଯାନ ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ୨୩ ତାରିଖକୁ ସାରା ଦେଶ ଉତ୍ସୁକତା ସହ ଅପେକ୍ଷା କରିଛି । ଏବେ ସୁଦ୍ଧା ଇସ୍ରୋର ଆକଳନ ଅନୁଯାୟୀ ଚନ୍ଦ୍ରଯାନ ଯାତ୍ରା କରିଛି ।ଚନ୍ଦ୍ରର ଦକ୍ଷିଣ ମେରୁରେ ଏଥର ଚନ୍ଦ୍ରଯାନ ନିଶ୍ଚୟ ସଫଳତାର ସହ ଅବତରଣ କରିବ ବୋଲି ଇସ୍ରୋ ଆଶା ରଖିଛି । ବର୍ତ୍ତମାନ ଇସ୍ରୋର ଟାର୍ଗେଟ ଅନୁସାରେ ଚନ୍ଦ୍ରଯାନ ଠିକଠାକ୍ କାମ କରୁଛି ।
ଦ୍ଵିତୀୟ ଡି-ବୁଷ୍ଟିଂ ପରେ ଆହୁରି ହ୍ରାସ ପାଇଛି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅର୍ବିଟ । ଚନ୍ଦ୍ରଠାରୁ ସର୍ବନିମ୍ନ ଦୂରତା ୨୫ କିଲୋମିଟର ଓ ସର୍ବାଧିକ ଦୂରତା ୧୩୪ କିଲୋମିଟରକୁ ଖସି ଆସିଛି । ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା । ବର୍ତ୍ତମାନ ଚନ୍ଦ୍ରରେ ରାତି ଅଛି । ୨୩ ତାରିଖର ସୂର୍ଯ୍ୟୋଦୟକୁ ଅପେକ୍ଷା ରହିଛି । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ୨୫ କିଲୋମିଟର ଉଚ୍ଚତାରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ।
ସେତେବେଳେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧ହଜାର ୬୮୦ ମିଟରରୁ ୨ ମିଟରକୁ ଆଣିବାକୁ ପଡ଼ିବ । ଉଭୟ ଲ୍ୟାଣ୍ଡର ଓ ରୋଭର ଶକ୍ତି ହାସଲ ପାଇଁ ସୋଲାର୍ ପ୍ୟାନେଲ ବ୍ୟବହାର କରିବେ । ଲ୍ୟାଣ୍ଡିଂ ପରେ ବିକ୍ରମ ଲ୍ୟାଣ୍ଡରରୁ ୬ ଚକିଆ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ସାରା ବିଶ୍ୱ ଅପେକ୍ଷା କରିଛି । ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ଅନ୍ତରୀକ୍ଷ ଯାନ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର । ପୂର୍ବରୁ କେବଳ ରୁଷ, ଆମେରିକା ଓ ଚୀନ ଏହି ସଫଳତା ପାଇଛନ୍ତି । ଏହାସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ଦେଶ ।
ଭାରତର ମିଶନ ମୁନ ଉପରେ ସାରା ବିଶ୍ବର ନଜର କେନ୍ଦ୍ରୀଭୂତ ହୋଇଛି। ଚନ୍ଦ୍ରଯାନ ଚନ୍ଦ୍ରର ସର୍ବନିମ୍ନ ୨୫ କିଲୋମିଟିର ଏବଂ ସର୍ବାଧିକ ୧୩୪ କିଲୋମିଟର ଉଚ୍ଚ କକ୍ଷପଥରେ ରହିଛି। ଚନ୍ଦ୍ରରେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରୁଛି ଲ୍ୟାଣ୍ଡର ବିକ୍ରମ। ଚନ୍ଦ୍ରଯାନ-୩ ଆସନ୍ତା ୨୩ ଅଗଷ୍ଟ ସନ୍ଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରରେ ଅବତରଣ କରିବା ଲକ୍ଷ୍ୟ ରଖା ଯାଇଛି । ଯଦି ଲ୍ୟାଣ୍ଡିଂରେ ସମସ୍ୟା ଆସେ ତେବେ ଗୋଟିଏ ମାସ ପରେ ପୁଣି ଥରେ ଚେଷ୍ଟା କରାଯିବ । କାରଣ ଚନ୍ଦ୍ରଯାନକୁ ପୁଣି ଆଉ ଏକ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରିବାକୁ ପଡ଼ିବ, ଯାହା ୨୮ଦିନ ପରେ ଆସିବ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଶେଷ ୧୫ରୁ ୨୦ ମିନିଟ୍ ସବୁଠୁ ଅଧିକ ଜଟିଳ ଏବଂ ଗୁରୁତ୍ବପୂର୍ଣ୍ଣ । ଚନ୍ଦ୍ରଯାନ ଏବେ ଯେଉଁ ଦୂରତାରେ ରହିଛି ସେଠାରୁ ଚନ୍ଦ୍ରରେ ଓହ୍ଲାଇବାକୁ ୧୫ରୁ ୨୦ମିନିଟ ସମୟ ଲାଗିବ। ଚନ୍ଦ୍ରରେ ପାଦ ଦେଇ ଇତିହାସ ରଚିବ ଭାରତ।