ଆଜି ୯ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଚଳିତବର୍ଷ ମୌସୁମୀ ଓଡ଼ିଶାର ଚାଷୀ କୂଳକୁ ନିରାଶ କରିଛି । ରାଜ୍ୟରେ ଚଳିତ ମୌସୁମୀ ପ୍ରଭାବରେ ଜୁନ୍ରେ ବର୍ଷା ନିଅଣ୍ଟିଆ ହୋଇଥିବାବେଳେ ଜୁଲାଇରେ ବର୍ଷା ଅନିଶ୍ଚିତତା ରହିବା ସମ୍ଭାବନା ଅଛି । ବର୍ଷା ଅଭାବରୁ ଚାଷ କାମ ଆଗେଇ ପାରୁନି । ଶୁକ୍ରବାର ବାଲେଶ୍ୱର, ବଲାଙ୍ଗିର, ମାଲକାନଗିରି, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲ୍ଲାର କେତେକ ଅଞ୍ଚଳରେ ଅସରାଏ ଲେଖାଏଁ ବର୍ଷା ହୋଇଛି । ଏହା ସତ୍ତ୍ୱେ ଏବେବି ୧୪ ଜିଲାରେ ବର୍ଷା ଅଭାବ ରହିଛି । ଆଗାମୀ ୮/୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବିସ୍ତୃତ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା କମ୍ । ଏଭଳି ସ୍ଥିତିରେ ଆଶ୍ୱସ୍ତି ଦେଖାଇଛି ପାଣିପାଗର ତାଜା ପୂର୍ବାନୁମାନ । ସେହିପରି ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବର୍ତ୍ତମାନ ଏଭଳି ବର୍ଷା ପ୍ରତିଦିନ କେତେକ ଜାଗାରେ ହୋଇପାରେ । ମାତ୍ର ବଡ଼ଧରଣର, ଲଗାଣ କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ସମ୍ଭାବ୍ୟ ଲଘୁଚାପ ହେଲେ ହିଁ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ଅଛି ।
ଜୁଲାଇ ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିପାରେ । ଆସନ୍ତା ୧୧ କିମ୍ବା ୧୨ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପ ହେଲେ ଓଡ଼ିଶାରେ ଭଲ ବର୍ଷା କରାଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନକରିଛନ୍ତି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞଙ୍କ କହିବାନୁଯାୟୀ ଗତ କିଛିଦିନ ଧରି ମୌସୁମୀ ଦୁର୍ବଳ ଥିବାବେଳେ ଶୁକ୍ରବାରଠାରୁ ସାମାନ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରିଛି । ଅସ୍ୱାଭାବିକ ଗରମ ସହ ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଥିବାରୁ ଗତ ୨୪ ଘଣ୍ଟା ଭିତରେଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା କରାଇଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୧୯୩.୭ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକଠାରୁ ୧୮% କମ୍ । ଭଦ୍ରକରେ ସବୁଠୁ କମ୍ ରହିଛି ବର୍ଷା । ଏଠାରେ ସ୍ୱାଭାବିକଠାରୁ ୫୪% ନିଅଣ୍ଟିଆ ବର୍ଷା ହୋଇଛି । ଗଜପତିରେ ସ୍ୱାଭାବିକଠାରୁ ୪୯% କମ୍ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୪୪%, ଯାଜପୁରରେ ୪୩%, ଗଞ୍ଜାମରେ ୪୨%, ବଲାଙ୍ଗିରରେ ୩୯%, ବୌଦ୍ଧରେ ୩୯%, କନ୍ଧମାଳରେ ୩୬% ଓ ଅନୁଗୁଳରେ ୩୫% ବର୍ଷା ଅଭାବ ରହିଛି । ଏହାବାଦ୍ କଳାହାଣ୍ଡି, ରାୟଗଡ଼ା, ନୟାଗଡ଼, ଦେବଗଡ଼, ମୟୂରଭଞ୍ଜରେ ବର୍ଷା ପରିମାଣ କମ୍ ଅଛି । ପୁରୀ, କୋରାପୁଟ, କେନ୍ଦ୍ରାପଡ଼ାରେ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିଛି । କୌଣସି ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ହୋଇନାହିଁ । ୧୩ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ବର୍ଷା ନ ବଢ଼ିଲେ ସ୍ୱାଭାବିକ ତାଲିକାରେ ଥିବା ନବରଙ୍ଗପୁର, ସମ୍ବଲପୁର, ବାଲେଶ୍ୱର, ଢେଙ୍କାନାଳ ଜିଲ୍ଲା ମଧ୍ୟ ବର୍ଷା ଅଭାବ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଯିବ ।