ଲାଗାତାର ଚତୁର୍ଥ ଦିନରେ ରେକର୍ଡ ସ୍ତରରେ ବନ୍ଦ ହେଲା ସେୟାର ବଜାର
ନୂଆଦିଲ୍ଲୀ: ଘରୋଇ ପୁଞ୍ଜି ବଜାରରେ ମଙ୍ଗଳବାର ସକାଳୁ ଦେଖା ଯାଇଥିବା ଉତ୍ସାହ ବଜାର ବନ୍ଦ ହେବା ଯାଏ ରହିଥିଲା । ସେନସେକ୍ସ ଲଗାତାର ଚତୁର୍ଥ ଦିନରେ ବୃଦ୍ଧି ସହ ବନ୍ଦ ହୋଇଛି । ମଙ୍ଗଳବାର କାରବାର ଶେଷରେ ସେନସେକ୍ସ ୨୭୪ ଅଙ୍କ ବଢି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୧୯୪୦୦ ସ୍ତରରେ ବନ୍ଦ ହୋଇଛି । ଏନବିଏଫସି ସେକ୍ଟରରେ କମ୍ପାନିର ଷ୍ଟକରେ ବୃଦ୍ଧି ଦେଖିବାକୁ ମିଳିଛି । ଏଏଫସିଜି ଏବଂ ଅଟୋ ସେକ୍ଟର ସେୟର୍ସରେ ହ୍ରାସ ଦେଖିବାକୁ ମିଳିଛି ।
ଘରୋଇ ସେୟାର ବଜାରରେ ମଙ୍ଗଳବାର ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ବିଏସଇ ସେନସେକ୍ସ ୨୭୪ ଅଙ୍କ ଅର୍ଥାତ୍ ୦.୪୨ ପ୍ରତିଶତ ବଢି ୬୫,୪୭୯.୦୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୬୬.୪୫ ଅଙ୍କ ଅର୍ଥାତ୍ ପ୍ରାୟ ୦.୨୩ ପ୍ରତିଶତ ମଜଭୁତ ହୋଇ ୧୯,୩୮୯.୦୦ ସ୍ତରରେ ବନ୍ଦ ହୋଇଛି । ତେବେ ନିବେଶକଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ୧୩ ପ୍ରମୁଖ ସେକ୍ଟୋରାଲ ସୂଚକାଙ୍କ ମଧ୍ୟରୁ ୮ରେ ହ୍ରାସ ଦେଖିବାକୁ ମିଳିଛି ।
ବିଏସଇର ୩୦ ସେୟାର ବିଶିଷ୍ଟ ସେନସେକ୍ସର କମ୍ପାନିଗୁଡିକ ମଧ୍ୟରେ ବଜାଜ ପାଇନାନ୍ସର ସେୟାର ସବୁଠୁ ଅଧିକ ୭.୭ ପ୍ରତିଶତ ବଢିଥିଲା । ଏହାସହ ବଜାଜ ଫିନସର୍ଭର ସେୟାରରେ ୫.୭୬ ପ୍ରତିଶତ ବୃଦ୍ଧି ହୋଇଥିଲା । ଏହାଛଡ଼ା ଟେକ୍ ମହିନ୍ଦ୍ରା, ସନଫାର୍ମା, ଏନଟିପିସି, ଟାଇଟନ, ୱିପ୍ରୋ, ଟିସିଏସ, କୋଟକ୍ ବ୍ୟାଙ୍କ, ଇନଫୋସିସ୍ ଆଇଟିସି, ଏଚସିଏଲଟେକ୍, ଏଚଡିଏଫସି ବ୍ୟାଙ୍କର ସେୟାର ଟପ୍ ଗେନର୍ସ ରହିଥିଲେ ।