ଜଳୁଛି ଶିମିଳିପାଳ ଅଭୟାରଣ୍ୟ
ସାଉଥରେ ୩୬ ଓ ନର୍ଥରେ ୧୦ଟି ସ୍ଥାନରେ ନିଆଁ ଜଳୁଛି
ବାରିପଦା : ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ଶିମିଳିପାଳ ସାଉଥ ଅଞ୍ଚଳରେ ଥିବା ଡ଼ୁକୁରା ୱାଇଲଡ଼ ଲାଇଫ ଅଧୀନ ତଳଡିହା ଓ ଫୁଲବାଡ଼ିଆ ଅଂଚଳରେ ୧୦ଟି ସ୍ପଟରେ, ଜେନାବିଲ ୱାଇଲଡ଼ ଲାଇଫ ଅଧୀନ କୁଳିପାଳ ଓ ଟିକତାଳି ଅଂଚଳର ୭ଟି ସ୍ପଟରେ, ନେସନାଲ ପାର୍କ ୱାଇଲଡ଼ ଲାଇଫ ଅଧୀନ ନୁଆଗାଁ ଅଂଚଳର ୧ଟି ସ୍ପଟରେ, ନଅଣା ସାଉଥ ୱାଇଲଡ଼ ଲାଇଫର ବକୁଆ ଓ ଧୁଡ଼ୁରୁଚମ୍ପା ଅଂଚଳର ୨ଟି ସ୍ପଟ୍ରେ, ପିଠାବଟା ୱାଇଲଡ଼ ଲାଇଟ୍ସାଉଥ ଅଧୀନ ଅନ୍ଧେରିତୋଟା, ପିଠାବଟା, କଚୁଦହନ ଅଂଚଳର ୧୩ଟି ସ୍ପଟରେ , ପିଠାବଟା ନର୍ଥ ୱାଇଲଡ଼ ଲାଇଫ ଅଧୀନ ବଡ଼ଗାଁ ଅଂଚଳର ୨ଟି ସ୍ପଟରେ ଏବଂ ଶିମିଳିପାଳ ନର୍ଥ ୱାଇଲଡ଼ ଲାଇଫ ଅଧୀନ କେନ୍ଦୁମୁଣ୍ଡି ଅଂଚଳ ରାଣିପାଟ ଅଂଚଳ କିଆଝରୀରେ ୯ଟି ସ୍ପଟରେ ଏବଂ ଚହଲା ୱାଇଲଡ଼ ଲାଇଫ ଅଂଚଳ କରକଚିଆରେ ଗୋଟାଏ ସ୍ପଟରେ ଏହିପରି ମୋଟ ୪୬ଟି ସ୍ଥାନରେ ନିଆଁ ଜଳୁଥିବାର ଜଣାପଡ଼ିଛି । ତେବେ ଶିମିଳିପାଳରେ ନିଆଁ ଜଳୁଥିବା ବିଷୟରେ ସତ୍ୟାସତ୍ୟ ଜାଣିବା ଏବଂ ନିଆଁକୁ ଲିଭାଇବା ନିମନ୍ତେ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥି ନିମନ୍ତେ ଡ଼ିଡ଼ି ଏସଟିଆର ଶ୍ରୀପତିଙ୍କ ସହିତ ୯୪୩୭୯୬୨୬୯୬ରେ ବାରମ୍ବାର ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ତେବେ ଶିମିଳିପାଳ କୋର ଅଂଚଳ ଭିତରେ ଜନବସତି ନ ଥିବା ସାଙ୍ଗକୁ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ କରାଯାଇଥିବା ବେଳେ ୪୬ଟି ସ୍ଥାନରେ ନିଆଁ ଲାଗିବା ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଉଛି । ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶତାଧିକ ଶିକାରୀ ଅଖଣ୍ଡ ଶିକାର କରିବା ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରୁଥିବାର ନଜିର ରହିଛି । ବନ ବିଭାଗର ପଦାଧିକାରୀ ଓ ଅଧିକାରୀମାନେ ସହର ଜଗି ବସିଥିବା ବେଳେ ଶିକାରୀମାନଙ୍କୁ ଏହା ସୁହାଉଛି । ଶିମିଳିପାଳ ଅଭୟାରଣ୍ୟରେ ବଳିଆ କୁକୁର ବିଲୁପ୍ତ ପ୍ରାୟ ହୋଇ ସାରିଥିବା ବେଳେ ବାଘ ସଂଖ୍ୟା ଦୃତ ଭାବେ ହ୍ରାସ ପାଇବା ସାଙ୍ଗକୁ ଜୀବଜନ୍ତୁ ସଂଖ୍ୟା ମଧ୍ୟ କମିଯାଇଛି । ଏହିପ୍ରକାରର କିଛି ବର୍ଷ ଜାରି ରହିଲେ ଶିମିଳିପାଳ ଅଭୟାରଣ୍ୟ ଓ ଏହାର ଜୀବଜନ୍ତୁ ଇତିହାସ ପୃଷ୍ଠାରେ ସ୍ଥାନ ପାଇବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି ।