ଆଜିଠୁ ୪ ଦିନ ବର୍ଷା, ୬ ଜିଲାକୁ ଅରେଞ୍ଜ ଓ ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଏହି ପରିପ୍ରେକ୍ଷୀରେ ଆଜିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କାଳବୈଶାଖୀର ପ୍ରଭାବ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲାରେ ଅଧିକ ରହିବ । କାଳବୈଶାଖୀ ପାଇଁ ଆଜି ୬ ଜିଲାକୁ ଅରେଞ୍ଜ ଓ ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଜଣାପଡ଼ିଛି ।
ଆଜି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ଏହିଭଳି କାଳବୈଶାଖୀ ବର୍ଷା ଜାରି ରହିବା ସହ ତାପମାତ୍ରା ବି ବିଶେଷ ବଢ଼ିବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।