ଲସ୍କର-ଏ-ତୋଇବାର ଟପ୍ କମାଣ୍ଡର ନଦୀମ ଅବରାର ଗିରଫ
ଜାମ୍ମୁ : ଜାମ୍ମୁକାଶ୍ମୀର ପୋଲିସକୁ ବଡ଼ ସଫଳତା । ଶ୍ରୀନଗର ଅଞ୍ଚଳରୁ ସୋମବାର ଲସ୍କର-ଏ-ତୋଇବାର ଟପ୍ କମାଣ୍ଡର ନଦୀମ ଅବରାରକୁ ଗିରଫ କରିଛି ପୋଲିସ। ଅନେକ ଆତଙ୍କବାଦୀ ଆକ୍ରମଣ ଏବଂ ହତ୍ୟା ମାଲାରେ ସମ୍ପୃକ୍ତ ଥିଲା ନଦୀମ। ନିକଟରେ ଲାବେପୋରାରେ ହୋଇଥିବା ଆକ୍ରମଣ ପଛରେ ତାର ବଡ଼ ଭୂମିକା ଥିଲା। ସେହି ଆକ୍ରମଣରେ ୩ ସିଆରପିଏଫ ଯବାନ ସହିଦ ହୋଇଥିଲେ । ନଦୀମ ଅବରାର ଗିରଫ ହୋଇଥିବା ନେଇ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନଦୀମ ଅବରାରକୁ ଗିରଫ କରିବା ପୋଲିସ ପାଇଁ ବଡ଼ ସଫଳତା। ବଡଗ୍ରାମରେ ରହୁଥିବା ଏହି ଆତଙ୍କବାଦୀକୁ ପଚରା ଉଚରା କରୁଛି ପୋଲିସ। ଅବନ୍ତିପୂରାରେ ହୋଇଥିବା ବଡ଼ଧରଣର ଆକ୍ରମଣ ପାଇଁ ନଦୀମ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଯେଉଁଥିରେ ବିଦେଶୀ ଆତଙ୍କବାଦୀ ମଧ୍ୟ ସାମିଲ୍ ଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ପରେ ଏବେ ଜାମ୍ମୁକାଶ୍ମୀରରେ ପୋଲିସ ସମେତ ଅନ୍ୟ ସୁରକ୍ଷା ଏଜେନ୍ସି ଆଲର୍ଟରେ ଅଛନ୍ତି। ପ୍ରକୃତରେ ୨୪ ଜୁନ୍ରେ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ ପରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିପାଇଛି ବୋଲି ପ୍ରତିରକ୍ଷା ଏଜେନ୍ସି ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀରେ ବୈଠକ ହେବା ପରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଉତ୍ପାତ କରିବାକୁ ଚାହୁଁଛନ୍ତି। ଏମିତିକି ବାୟୁସେନା ଏୟାରବେସ୍ରେ ଡ୍ରୋନ ଆକ୍ରମଣ ହୋଇଛି। ପରେ ୫ କିଲୋ ଆଇଇଡି ମଧ୍ୟ ଜବତ ହୋଇଛି। ଏହା ପରେ ସୋମବାର ଦିନ ବ୍ରିଗେଡ୍ ମୁଖ୍ୟାଳୟ ପାଖରେ ଡ୍ରୋନ୍ ଉଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି ।