ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର ! ୧୨ରୁ ୧୬ ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ ଦୃଷ୍ଟିରୁ ୪ ଦିନ ବନ୍ଦ ରହିବ ସ୍କୁଲ । ଆସନ୍ତା ୧୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ । ତେବେ ଖାଲି ସେତିକି ନୁହେଁ, ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଆଜି କୋଭିଡ୍ ଓ ହିଟୱେଭକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୂଚନା ଯେ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହୋଇଥିଲା ସକାଳୁଆ ସ୍କୁଲ । ହିଟଓ୍ବେଭ୍ ହେଲେ ଅନ୍ୟ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଥିଲେ । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ ୫ରୁ ଜୁନ୍ ୧୭ ଯାଏଁ ପିଲାଙ୍କ ଖରାଛୁଟି ରହିଛି।
ଭାରତୀୟ ପାଣିପାଗ ବିଭାଗର ହିଟୱେଭ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର-ଏସଆରସି ବିଭିନ୍ନ ଜିଲ୍ଲାକୁ ଆଡଭାଇଜରି ଜାରି କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାକୁ ଆଡଭାଇଜରି ଜାରି କରାଯାଇଛି। ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲା ପ୍ରଶାସନ ଗୁଡିକୁ କୁହାଯାଇଛି । ଶିଶୁ, ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ଲୋକମାନଙ୍କୁ ହିଟୱେଭରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ଟାରୁ ସାଢେ ୩ଟା ମଧ୍ୟରେ ଘରୁ ବାହାରୁଥିଲେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।