ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଦଣ୍ଡ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ
୩ ହଜାର ଟଙ୍କା ଜରିମାନା
ବାରିପଦା : ମୟୂରଭଂଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟ ଜଜ୍ ସୁମିତା ଜେନା ଗୁରୁବାର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଫୁଲଝରି ଗ୍ରାମର ୨୩ ବର୍ଷ ବୟସ୍କ ସମ୍ବର ସରେନ । ଏହା ବ୍ୟତିତ ପୀଡିତା ନାବାଳିକାଙ୍କୁ କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୧ମସିହା ଏପ୍ରିଲ ୨୫ ତାରିଖରେ ଜନୈକା ନାବାଳିକା ଜଣକ ପଡୋଶୀ ଘରୁ ଟିଭି ଦେଖି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ । ଉକ୍ତ ସମୟରେ ଅଭିଯୁକ୍ତ ଜଣକ ବାଟରୁ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ଜୋରରେ ପାଟି କରିଥିଲେ । ପାଟି ଶୁଣି ସ୍ଥାନୀୟ ଲୋକମାନେ ପୀଡିତା ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଜିମା ଦେଇଥିଲେ । ଏନେଇ ପୀଡିତାଙ୍କ ବାପା ବାଙ୍ଗିରିପୋଷି ଥାନାରେ ୨୫-୦୪-୨୦୨୧ରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ କେଶ ନମ୍ବର ୧୬/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲାର ବିଚାର ସମୟରେ ୧୬ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି । ତେବେ ଗିରଫ ଦିନଠାରୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ କଏଦୀ ଭାବେ ଦଣ୍ଡ ଭୋଗୁଥିଲେ । ଉକ୍ତ ମାମଲାକୁ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିଲେ ।