ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାରିପଦା : ସର୍ବନିମ୍ନ ମଜୁରୀ ଦାବିରେ ନେସ୍କୋ ପାୱାର ଏମ୍ପୋଲାଇଜ ସଙ୍ଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବର୍ତମାନ ଦରଦାମର ଅହେତୁକ ବୃଦ୍ଧି ଯୋଗୁଁ ସରକାରଙ୍କ ସର୍ବନିମ୍ନ ମଜୁରୀରେ ଠିକା କର୍ମଚାରୀଙ୍କ ପ୍ରତିପୋଷଣରେ ବହୁ ଅସୁବିଧା ସୃଷ୍ଟି ହେଉଛି । ବିଦ୍ୟୁତ୍ ବିତରଣ ଭଳି ଏକ ଅତ୍ୟାବଶ୍ୟକ କ୍ଷେତ୍ରରେ ଗ୍ରାହକମାନଙ୍କୁ ୨୪ଘଂଟା ବିଦ୍ୟୁତ୍ ଯୋଗାଇବା ପାଇଁ ନିଜ ଜୀବନକୁ ବିପନ୍ନ କରିବାକୁ ପଛାଉନଥିବା ଠିକା କର୍ମଚାରୀ ଅତି ସ୍ୱଳ୍ପ ମଜୁରୀରେ ପ୍ରତିପୋଷଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସର୍ବନିମ୍ନ ମଜୁରୀ କମ୍ ଥିବାରୁ ଏହାର ବୃଦ୍ଧି ପାଇଁ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟତଃ ପଞ୍ଜାବ, ବିହାର, ଉତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମୁକାଶ୍ମୀରରେ ଠିକା କର୍ମଚାରୀଙ୍କ ସର୍ବନିମ୍ନ ମଜୁରୀ ଓଡ଼ିଶା ଠାରୁ ଅଧିକ ଅଛି । ବର୍ତମାନ ଆମ ରାଜ୍ୟରେ ଅଣକୁଶଳୀ ୩୩୩, ଅର୍ଦ୍ଧକୁଶଳୀ ୩୭୩, କୁଶଳୀ ୪୨୩ ଓ ଉଚ୍ଚକୁଶଳୀ ୪୮୩ ଟଙ୍କା ମଜୁରୀ ଥିବା ସ୍ଥଳେ ସଙ୍ଘ ତରଫରୁ ଏହା ୪୦ ଶତକଡ଼ା ବୃଦ୍ଧି କରି ଅଣକୁଶଳୀଙ୍କୁ ୪୭୦, ଅର୍ଦ୍ଧକୁଶଳୀ ୫୩୦, କୁଶଳୀ ୬୦୦ ଓ ଉଚ୍ଚକୁଶଳୀଙ୍କୁ ୬୯୦ ଟଙ୍କା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ସଙ୍ଘର କର୍ମକର୍ତାଙ୍କ ଉପସ୍ଥିତିରେ ପ୍ରଦାନ କରା ଯାଇଛି ଯାଇଛି । ସଙ୍ଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ନେତୃତ୍ୱରେ ଉପସାଧାରଣ ସମ୍ପାଦକ ଜ୍ୟେତିକୃଷ୍ଣ ବେହେରା, ସହ-ଡିଭିଜନ ସମ୍ପାଦକ ଜ୍ଞାନ ରଂଜନ ପରିଡ଼ା, ଉଦଳା ପର୍ଯ୍ୟବେକ୍ଷକ ଜ୍ୟୋତି ଲାଲ ବିଶ୍ୱାଳ, ସଞ୍ଜୟ କୁମାର ଘୋଷ, ସୁମନ ସଞ୍ଜିତ୍ ମହାନ୍ତ, ଚନ୍ଦନ ଜେନା, ଦିନେଶ ଗୁପ୍ତା, ଅଚ୍ୟୁତ କୁମାର ସାହୁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।