କାୟାକଳ୍ପ ବିଜେତାରେ ରାଜ୍ୟରେ ଦ୍ୱିତୀୟ ବାଲେଶ୍ୱର
ବାଲେଶ୍ୱର : ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ବିଭାଗକୁ ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ୧୮୧ ଗୋଟି କାୟାକଳ୍ପ ପୁରସ୍କାର ମିଳିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହି କାୟାକଳ୍ପ ପାଇବା ପାଇଁ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଲ ସେନ ଜଗଦେବ, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀଙ୍କ ପ୍ରଚେଷ୍ଟା ଏବଂ ଜିଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତରାଜର ସଦସ୍ୟାସଦସ୍ୟ, ଜିଲା ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ ପରିଚାଳକ ଅନିଲ କୁମାର ମହାନ୍ତି ଓ ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସହଯୋଗୀ ବିଭାଗର ଅଫିସର ଓ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉକ୍ତ ପୁରସ୍କାର ମିଳିଛି ।
ଜିଲାର ବାଲିଆପାଳ ବ୍ଲକର ଘଣ୍ଟଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଔପଦା ବ୍ଲକର କାଣ୍ଡଗରଡ଼ି ଉପସ୍ୱାସ୍ଥ୍ୟକେନ୍ଦ୍ର ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭୋଗରାଇ ବ୍ଲକ ସର୍ବାଧିକ ୨୬ଟି ସ୍ୱାସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଛି । ସେହିପରି ବାହାନଗା ବ୍ଲକ- ୧୨, ବାଲେଶ୍ୱର ସଦର- ୧୬, ବାଲିଆପାଳ- ୧୬, ବସ୍ତା- ୧୪, ଜଳେଶ୍ୱର- ୧୬, ଖଇରା- ୧୭, ନୀଳଗିରି- ୧୭, ଔପଦା- ୮, ରେମୁଣା- ୧୪, ସିମୁଳିଆ- ୮ ଓ ସୋର ବ୍ଲକ- ୧୨ ତଥା ବାଲେଶ୍ୱର ପୌରପାଳିକାରେ ୪ ଗୋଟି, ନୀଳଗିରି ଏନ୍ଏସିରେ ୧ଟି ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ରାଜ୍ୟସ୍ତରୀୟ ଅଧିକାରୀ ଟିମ୍ ବ୍ଲକସ୍ତରୀୟ ଅନୁଷ୍ଠାନକୁ ପରିଦର୍ଶନ କରି ସମୀକ୍ଷା କାରିଥିବା ବେଳେ ଜିଲାସ୍ତରୀୟ ଟିମ୍ ପ୍ରତ୍ୟେକ ଅନୁଷ୍ଠାନ ବୁଲି ସମୀକ୍ଷା କରି ସ୍ୱାସ୍ଥ୍ୟ ବିଭାଗର ଅଫିସର ଓ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଓ କର୍ମଚାରୀ ତଥା ଜିଲା କର୍ମଚାରୀଙ୍କୁ ନେଇ ଜିଲାପାଳ ଶ୍ରୀ ଶିନ୍ଦେ ବାରମ୍ବାର ବୈଠକରେ ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।