ଆଇପିଏଲ-୨୦୨୩ : ପୁଣି ହାରିଲା ଦିଲ୍ଲୀ, ୬ ଉଇକେଟରେ ଜିତିଲା ଗୁଜରାଟ୍
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ସନ୍ଧ୍ୟା ୭ଟାରେ ସପ୍ତମ ମ୍ୟାଚରେ ଡିପେଣ୍ଡିଂ ଚମ୍ପିଆନ୍ ଗୁଜୁରାଟ୍ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ ।
ମାତ୍ର ଘରୋଇ ପଡିଆରେ ବି ପ୍ରଶଂସକଙ୍କୁ ନିରାଶ କଲା ଦିଲ୍ଲୀ କ୍ୟାପିଟାଲ୍ସ। କ୍ରମାଗତ ଦ୍ଵିତୀୟ ମ୍ୟାଚ୍ରେ ପରାଜିତ ହୋଇଛି ଦିଲ୍ଲୀ। ବ୍ୟାଟିଂ ପରି ବୋଲିଂରେ ବି ପ୍ରଭାହୀନ ରହିଥିଲେ ଦିଲ୍ଲୀ ବୋଲର। ବ୍ୟାଟିଂ ଉପଯୋଗୀ ପିଚ୍ରେ ୧୬୨ ରନ ଗୁଜରାଟ୍କୁ ରୋକିବା ପାଇଁ ପର୍ଯ୍ୟାପ୍ତ ନଥିଲା। ଅନରିଚ ନୋର୍ତ୍ତଜେ ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୩୯ ରନ ବ୍ୟୟ କରିଥିଲେ। ମିଚେଲ୍ ମାର୍ଶ ଏବଂ ଖଲିଲ ଅହମ୍ମଦଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।
ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ବଜାୟ ରଖି ଲଗାତାର ଦ୍ଵିତୀୟ ବିଜୟ ହାସଲ କରିଛି ଗୁଜରାଟ ଟାଇଟନ୍ସ। ସାଇ ସୁଦର୍ଶନଙ୍କ ଲଢୁଆ ଅର୍ଦ୍ଧଶତକ ଏବଂ ଡେଭିଡ୍ ମିଲରଙ୍କ ଦ୍ରୁତ ବ୍ୟାଟିଂ ବଳରେ ଗୁଜରାଟ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ଓ୍ଵିକେଟ୍ରେ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୩୭ ରନ, ଅକ୍ଷର ପଟେଲ୍ ୩୬ ଏବଂ ସରଫରାଜ ଖାନ ୩୦ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୨ ରନ କରି ପାରିଥିଲା। ୧୬୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ୍ ଟାଇଟନ୍ସକୁ ଦଳୀୟ ସ୍କୋର ୩୬ ରନରେ ଦୁଇ ଓପନରଙ୍କୁ ହରାଇଥିଲା। ଋଦ୍ଧିମାନ ଶାହ(୧୪ ରନ) ଏବଂ ଶୁଭମନ ଗିଲ୍(୧୪) ଉଭୟ ଅନରିଚ ନୋର୍ତ୍ତଜେଙ୍କ ଶିକାର ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୫) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୫୪ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିବା ଗୁଜରାଟର ଇନିଂସକୁ ସମ୍ଭାଳିଥିଲେ ସାଇ ସୁଦର୍ଶନ। ଗୋଟିଏ ପଟେ କ୍ରିଜରେ ଜମି ରହି ବିଜୟ ଶଙ୍କରଙ୍କ ସହ ୪ର୍ଥ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡିଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଶେଷ ଓଭର ଯାଏଁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଫଳରେ ଦଳ ବ୍ୟାଟିଂ ଉପଯୋଗୀ ପିଚ୍ରେ ବଡ ସ୍କୋର କରି ପାରିନଥିଲା। ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ୩୭ ରନ, ଅକ୍ଷର ପଟେଲ୍ ୩୬ ଏବଂ ସରଫରାଜ ଖାନ ୩୦ ରନ କରିବାରୁ ଦିଲ୍ଲୀ ୧୬୨ ରନରେ ପହଞ୍ଚି ପାରିନଥିଲା। ଅଭିଷେକ ପୋରେଲ୍ ୨୦ ରନ କରିଥିବା ବେଳେ ବାକି ବ୍ୟାଟର ବିଫଳ ରହିଥିଲେ। ପୃଥ୍ଵୀ ଶୋ(୭) ଏବଂ ମିଚେଲ୍ ମାର୍ଶ(୪) ବିଫଳ ହେବା ଦିଲ୍ଲୀକୁ ବଡ ଝଟକା ଦେଇଥିଲା। ରିଲି ରସୋ ଖାତା ବି ଖୋଲି ପାରିନଥିଲେ। ଗୁଜରାଟ ପକ୍ଷରୁ ରଶିଦ ଖାନ ଏବଂ ମହମ୍ମଦ ଶାମି ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
୧୦୭ ରନ ସ୍କୋରରେ ବିଜୟ ଶଙ୍କର ୨୯ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ସାଇ ସୁଦର୍ଶନ ଏବଂ ଡେଭିଡ୍ ମିଲର ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ୧୧ଟି ବଲ୍ ବଳକା ଥାଇ ଦଳକୁ ଜିତାଇଥିଲେ। ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିବା ସହ ୪୮ ବଲ୍ରୁ ୪ ଚୌକା ଏବଂ ୨ ଛକା ବଳରେ ୬୨ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ତାଙ୍କୁ ଉଚିତ୍ ସହଯୋଗ ଦେଇଥିବା ଡେଭିଡ୍ ମିଲର ମାତ୍ର ୧୬ ବଲ୍ରୁ ୨ ଚୌକା ଏବଂ ୨ ଛକା ଜରିଆରେ ୩୧ ରନ କରିଥିଲେ। ଏହିପରି ଗୁଜରାଟ ଟାଇଟନ୍ସ ୧୮.୧ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ବିଜୟ ହାସଲ କରି ନେଇଛି। ବୋଲିଂରେ ଗୁଜରାଟ ପକ୍ଷରୁ ରଶିଦ ଖାନ ଏବଂ ମହମ୍ମଦ ସାମି ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।