ଆଜିଠୁ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡ଼କମେଳା, ଚଳଚଞ୍ଚଳ ଚନ୍ଦନେଶ୍ୱର ଶୈବପୀଠ
ଭୋଗରାଇ : ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡ଼କମେଳା । ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ସୋମବାର ଠାରୁ ଶୁଭାରମ୍ଭ ହେବ । ୩ବର୍ଷ ଧରି ମହାମାରୀ କଟକଣା ହଟିବା ପରେ ଚଳିତବର୍ଷ ହୁଗୁଳି ଗ୍ରାମର କୂଳ ପାଉନଥିବା ଜଳଯନ୍ତ୍ର ଦେବତାଙ୍କ ଚୈତ୍ର ଚଡ଼କମେଳା ଜିଲାପ୍ରଶାସନ, ଟ୍ରଷ୍ଟବୋର୍ଡ଼ ଓ ସେବାୟତମାନଙ୍କ ଘୋଷଣଶ ପରେ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ବଢ଼ିଛି । ଏହି ପ୍ରସିଦ୍ଧ ମେଳାକୁ ପଡ଼ୋଶୀ ରାଜ୍ୟର ଲକ୍ଷାଧିକ ଉପବୀତଧାରି ଶୈବଭକ୍ତ ଉପବୀତ ଧାରଣ କରିବା ସହିତ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଟ୍ରଷ୍ଟବୋର୍ଡ଼ ଓ ପ୍ରଶାସନ ତତ୍ପର ହୋଇଛନ୍ତି ।
ଅପରପକ୍ଷରେ ଚନ୍ଦନେଶ୍ୱର ମହାଦେବଙ୍କ ନୀଳ ପୋଖରୀରେ ଥିବା ଦୁଇଟି ଭଗ୍ନ ପୁରୁଣା ଥୁମ୍ବିକାଠକୁ ଶହେ ବର୍ଷ ପରେ ବଦଳାଯିବ । ଏଥିସକାଶେ ଚନ୍ଦନେଶ୍ୱର ଜୀଉଙ୍କ ଆଜ୍ଞାମାଳ ନେଇ ସେବାୟତମାନେ ସୁଦୂର ଜଳେଶ୍ୱର ବ୍ଲକ ରାଇବଣିଆ ସ୍ଥିତ ପାଣିଗାଁ ଭକ୍ତ ବୀରକିଶୋର ଦାସଙ୍କ ବାଡ଼ିରୁ ଦୁଇଟିି ଶାଳଗଛ ଚିହ୍ନଟ ପରେ ପୂଜାର୍ଚ୍ଚନା କରି ଗଛକଉ କଟାଯାଇ ରବିବାର ପୂର୍ବାହ୍ନରେ ମନ୍ଦିରକୁ ଅଣାଯାଇଛି । ଚନ୍ଦନେଶ୍ୱର ପେଟ୍ରୋଲ ପମ୍ପ ଠାରୁ ଦୁଇ ଥୁମ୍ବିକାଠକୁ ପୂଜାର୍ଚ୍ଚନା କରାଯିବା ସହିତ ଢାକ, ଢୋଲ, ଶାହାନାଇ, ଝାଲିଘଣ୍ଟା, କୀର୍ତ୍ତନ, ଶଙ୍ଖବାଦ୍ୟ ସହ ଶିବଙ୍କ ସ୍ରୋତ ପାଠ କରାଯାଇ ସେବାୟତ, ପୂଜାରୀ, ଟ୍ରଷ୍ଟବୋର୍ଡ଼ର ସଦସ୍ୟ ଓ ଶ୍ରଦ୍ଧାଳୁମାନେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମନ୍ଦିର ବିଜେ କରିଛନ୍ତି ।
ଚଡ଼କଯାତ୍ରାର ଶୁଭାରମ୍ଭରେ ଶ୍ରୀଶ୍ରୀ ଜୀଉଙ୍କ ଋଦ୍ରାଭିଷେକ, ମୌରସୀନ୍ୟାସୀ ତପନ ପଣ୍ଡାଙ୍କ ଆଜ୍ଞାମାଳ ଗ୍ରହଣ, ଜୀଉଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ ହରିଶ ଚନ୍ଦ୍ର ସାହୁ ଓ ଦେଉଳିଆ ଅଜିତ୍ ପାତ୍ର ଉପବୀତ ଧାରଣ କରିବେ । ଚନ୍ଦନେଶ୍ୱର ମହାଦେବଙ୍କ ପାଖ ଗାଁ ପଦ୍ମପୁର ସୁଧାଂଶୁ ପ୍ରଧାନଙ୍କ ବାଡ଼ିରୁ ପୂଜାର୍ଚ୍ଚନା କରାଯାଇ ପୋଡ଼ା ବାଉଁଶ ଛେଦନ କରାଯାଇ ମନ୍ଦିର ପରିସରକୁ ଅଣାଯିବ । ଆସନ୍ତା ମଙ୍ଗଳବାର ମହାଦେବଙ୍କ ନୀଳ ପୋଖରୀରୁ ଘଟତ୍ତୋଳନ ଓ ସମସ୍ତ ସେବାୟତ ଗୃହକୁ ଯାଇ ସୁଆଜ୍ଞା, ଆନୟନ ଓ ଶେଷରେ ଅର୍ଘ୍ୟଦାନ ହେବ । ଟ୍ରଷ୍ଟବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ମୌରସୀ ତପନ କୁମାର ପଣ୍ଡା, ସେବାୟତ ବୁଦ୍ଧଦେବ ପଣ୍ଡା, ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ଗଣପତି ଗିରି, ପୂର୍ବତନ ଜିଲାପରିଷଦ ସଦସ୍ୟ ଦେବାଶିଷ ଚନ୍ଦ, ସମିତିସଦସ୍ୟ ଗୋବିନ୍ଦ ଦାସ, ସରପଞ୍ଚ ଅରୁଣ ଗିରିଙ୍କ ସମେତ ସମସ୍ତ ସେବାୟତ, ପୂଜାରୀ ଓ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଶୁଭାରମ୍ଭ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସାମିଲ୍ ହୋଇ ପ୍ରସିଦ୍ଧ ଚଡ଼କ ମେଳାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି ।