ଅଜଣା ଜନ୍ତୁ ଆକ୍ରମଣରେ ୩୫ ମେଣ୍ଢା ମୃତ
କେନ୍ଦ୍ରାପଡ଼ା : ଜିଲ୍ଲାର ମହାକାଳପଡା ବ୍ଲକ ଅଧିନ ଯଦୁପୁର ପଂଚାୟତର କଳାଗଡ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ମେଣ୍ଢାଚାଷୀ ମାନେ ଆତଙ୍କିତ ଅବସ୍ଥାରେଅଛନ୍ତି । କୈାଣସି ଅଜଣା ଜନ୍ତୁ ଗୁହାଳେ ପଶି ସେହି ଗ୍ରାମର ମହନୀ ଦାସଙ୍କ ୩୫ ମେଣ୍ଢାଙ୍କୁ ମାରି ଦେଇଥିବା ବେଳେ ଅନ୍ୟ ୧୦ ମେଣ୍ଢା କ୍ଷତ ବିକ୍ଷତ ଅବବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡିଛି । ଘଟଣା ମୁତାବକ ମହନୀ ଦାସ ଜଣେ ଭୂମିହୀନ ଓ ଆଂଶିକ ଭିନ୍ନକ୍ଷମ ହୋଇଥିବା ବେଳେ ଧାର କରଜ କରି ପ୍ରାୟ ୮୦ ଟି ମେଣ୍ଢା ପାଳି ବ୍ୟବସାୟ କରୁଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ କୁକୁର ଭୁକିବାରୁ ଉଠି ଦେଖନ୍ତି ଗୁହାଳେ ୩୫ଟି ମେଣ୍ଢା ମରି ପଡିଛନ୍ତି । ସେମାନଙ୍କର ତଣ୍ଟି ଓ ପେଟ କଣା ହୋଇଥିବା ବେଳେ ଅନ୍ୟ କେତେକଙ୍କର ଅନ୍ତ ବୁଜୁଳା ବାହାରି ପଡିଛି । ଅନ୍ୟ ୧୦ଟି ମେଣ୍ଢାଙ୍କ ଦେହରେ କ୍ଷତ ଚିହ୍ନସବୁ ରହିଛି । ଏହି ଘଟଣା ପ୍ରଚାର ହେବାପରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଁଚି ଆହତ ମେଣ୍ଢା ମାନଙ୍କୁ ଚିକିତ୍ସା କରିଥିବା ବେଳେ ଆରଆଇ କ୍ଷୟକ୍ଷତି ଆକଳନ କରିଥିବା ଜଣା ପଡିଛି । ଏହି ଘଟଣା ସ୍ଥାନୀୟ ମେଣ୍ଢା ଚାଷୀ ମାନଙ୍କୁ ଆତଙ୍କିତ ଅବସ୍ଥାରେ ରଖିଥିବା ଜଣା ପଡିଛି ।