କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ! ଆସନ୍ତାକାଲି ମାନହାନି ମାମଲା ଦଣ୍ଡାଦେଶ ବିରୋଧରେ ସୁରଟ ସେସନ୍ସ କୋର୍ଟରେ ଅପିଲ କରିବେ ରାହୁଲ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସୁରଟରେ ପହଞ୍ଚି ଉପର କୋର୍ଟରେ ଆବେଦନ କରିବେ। ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ । ଏହି ମାମଲାରେ ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ରାହୁଲ ଗାନ୍ଧୀ ଆସନ୍ତାକାଲି ସୁରଟ ଯିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।
୨୦୧୯ ମାନହାନି ମାମଲାରେ ଗତ ମାର୍ଚ୍ଚ ୨୩ରେ ସୁରତ ଜିଲା କୋର୍ଟ ରାହୁଲ୍ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଓ ୧୫୦୦୦ ଟଙ୍କା ଜାରିମାନା କରିଥିଲେ। ୨ ବର୍ଷ ଜେଲ୍ ଦଣ୍ଡାଦେଶ ପାଇବା ପରେ ଲୋକସଭା ସାଂସଦ ପଦରୁ ରାହୁଲ୍ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହା ପରେ ରାହୁଲ ଗାନ୍ଧୀଙ୍କୁ ୧୨ ତୁଗଲକ୍ ଲେନ୍ ରେ ଥିବା ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ମଧ୍ୟ ମିଳିଥିଲା। ରାହୁଲଙ୍କୁ ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିବାକୁ ୩୦ ଦିନ ସମୟ ଦିଆଯାଇଥିଲା ।
ସିଜେଏମ୍ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅଧିବେଶନ କୋର୍ଟରେ ଆବେଦନ କରିବା ସମୟରେ ରାହୁଲ ଗାନ୍ଧୀ ନିଜେ ଉପସ୍ଥିତ ରହିବେ। ସୁରଟ ସିଟି କଂଗ୍ରେସ କମିଟି ଏବଂ ରାଜ୍ୟ କଂଗ୍ରେସ କମିଟି ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁରଟ ସହରର ନେତା ତଥା କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କୁ କୋର୍ଟ ବାହାରେ ଅଭିବାଦନ ଜଣାଇ ଉତ୍ସାହିତ କରିବେ। ଏହାପୂର୍ବରୁ ରାହୁଲ ଗାନ୍ଧୀ ମାର୍ଚ୍ଚ ୨୩ ରେ ସୁରଟରେ ପହଞ୍ଚି ଏହି ରାୟ ଶୁଣାଣି ସମୟରେ କୋର୍ଟରେ ହାଜର ହୋଇଥିଲେ। ଦଣ୍ଡ ପାଇବାର ୧୧ ଦିନ ପରେ ସୁରଟ ଉପର କୋର୍ଟକୁ ଯିବେ ରାହୁଲ ଗାନ୍ଧୀ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ଓକିଲ ତଥା ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ।
ସୂଚନା ଯେ, ଗତ ୨୦୧୯ ‘ସବୁ ମୋଦି ସାଙ୍ଗିଆଧାରୀ କେମିତି ଚୋର ହେଲେ ବୋଲି’ ରାହୁଲ୍ ଗାନ୍ଧୀ କର୍ଣ୍ଣାଟକର କୋଲାର୍ରେ ଗୋଟାଏ ରାଲିରେ ଉଦ୍ବୋଧନ ଦେବା ବେଳେ କହିଥିଲେ। ଏହା ବିରୋଧରେ ‘ବିଜେପି’ ବିଧାୟକ ପୂର୍ଣ୍ଣେଶ ମୋଦୀ ଜିଲ୍ଲା ଅଦାଲତରେ ମାମଲା ଦାଏର କରିଥିଲେ। ଯାହାର ଣୁଣାଣି କରି କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ।