ଚିଟ୍ଫଣ୍ଡ ଠକେଇ ମାମଲା : ୩ଜଣଙ୍କୁ ଜେଲ୍ ଦଣ୍ଡ ସହ ଜରିମାନା
ବାଲେଶ୍ୱର : ଓଡ଼ିଶା ପ୍ରୋଟେକ୍ସନ୍ ଇଣ୍ଟରେଷ୍ଟ ଅଫ୍ ଇନ୍ଭେଷ୍ଟର୍ସ ଡିପୋଜିଟର (ଓପିଆଇଡି) ବାଲେଶ୍ୱର କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶ୍ୱଜିତ୍ ଦାସ ମଙ୍ଗଳବାର ଏକ ଚିଟ୍ଫଣ୍ଡ ଠକେଇ ମାମଲାର ବିଚାର କରି ୩ଜଣଙ୍କୁ ଜେଲ୍ ଦଣ୍ଡ ସହ ଜରିମାନାର ରାୟ ଶୁଣାଇଛନ୍ତି ।
ସୂଚନା ଯେ, ବାଲେଶ୍ୱର ସହର ଷ୍ଟେସନ ଛକ ନିକଟରେ ଏକ ତିନି ମହଲା କୋଠାରେ ୨୦୧୨-୧୩ ମସିହାରେ ଅନେଶ୍ୱା ଇନ୍ ଇଣ୍ଡିଆ ଲିମିଟେଡ୍ ନାମକ ଚିଟ୍ଫଣ୍ଡ କମ୍ପାନୀ ଖୋଲିଥିଲା । କମ୍ପାନୀର ମୁଖ୍ୟ ଡାଇରେକ୍ଟର ଏବଂ ଚେୟାରମ୍ୟାନ୍ ପ୍ରଦୀପ ପୋଦ୍ଦାର ଥିବାବେଳେ ଅନ୍ୟ ଡାଇରେକ୍ଟରମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ସାହୁ, ପ୍ରଭାକର ଦାସ, ପ୍ରବୋଧ କୁମାର ପଣ୍ଡା ରହିଥିଲେ । ସେହିପରି ବ୍ରାଞ୍ଚ ମ୍ୟାନେଜର ଭାବେ ପ୍ରଣୟ କୁମାର ବେହେରା, କର୍ମଚାରୀ ଭାବେ ଅଭିମନ୍ୟୁ ମହାପାତ୍ର, ଦିଲ୍ଲୀପ କୁମାର ଭୌମିକ, ପୁଷ୍ପାଲ ରାୟ, ଅନିନ୍ଦ୍ୟ ଚକ୍ରବର୍ତ୍ତୀ, ବସନ୍ତ ପାଣିଗ୍ରାହୀ କାର୍ଯ୍ୟ କରୁଥିଲେ । ଲୋକଙ୍କୁ ଜମା ଟଙ୍କାରେ ଅଧିକ ସୁଧର ପ୍ରଲୋଭନ ଦେଖାଇ ଉକ୍ତ ସଂସ୍ଥାରେ ଟଙ୍କା ରଖିବା ପାଇଁ ପ୍ରବର୍ତ୍ତାଉଥିଲେ । ଏହିପରି ଭାବେ ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଶେଖପାଟଣା ଅଞ୍ଚଳର ଜଗନ୍ନାଥ ବାରିକ ଓ ତାଙ୍କ ସ୍ତ୍ରୀଙ୍କୁ ପ୍ରଲୋଭିତ କରାଇ ଲକ୍ଷାଧିକ ଟଙ୍କା କମ୍ପାନୀରେ ଆର୍ଡି କରାଇଥିଲେ । ମେଚୁରିଟି ହେବା ପରେ ସମସ୍ତ କାଗଜପତ୍ର ନେଇ କମ୍ପାନୀକୁ ଯିବାବେଳକୁ ତାହା ଉଠିଯାଇଥିଲା । ପରେ ଡାଇରେକ୍ଟର ପ୍ରବୋଧ ପଣ୍ଡାଙ୍କୁ ରାସ୍ତାରେ ଦେଖି ସମସ୍ତ ଘଟଣା ଜଣାଇଥିଲେ । ତାଙ୍କ ଠାରୁ ମେଚୁରିଟି ହୋଇଥିବା ସମସ୍ତ ଡକ୍ୟୁମେଣ୍ଟ ନେଇ ଚେୟାରମ୍ୟାନ୍ ପ୍ରଦୀପ ପୋଦ୍ଦାରଙ୍କ ଦସ୍ତଖତ ଥିବା ଏଚ୍ଡିଏଫ୍ସି ବ୍ୟାଙ୍କର ୬ଟି ଚେକ୍ ମୋଟ୍ ୭ଲକ୍ଷ ୩୭ହଜାର ୩୪୦ ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଚେକ୍କୁ ନେଇ ବ୍ୟାଙ୍କରେ ଡିପୋଜିଟ୍ କରିବା ପରେ ତାହା ବାଉନ୍ସ ହୋଇଥିଲା । ଏନେଇ ଜଗନ୍ନାଥ ଗତ ୨୦୧୫ ଫେବୃଆରୀ ୨୮ ତାରିଖରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସହଦେବଖୁଣ୍ଟା ଥାନା ମାମଲା (ନଂ. ୬୦ ।୨୦୧୫) ଧାରା ୪୨୦ । ୪୦୬ । ୪୦୯ । ୪୬୮ । ୪୬୭ । ୪୭୧ । ୧୨୦(ବି) । ୩୪ ଆଇପିସିରେ ରୁଜୁ ହୋଇଥିଲା । ଉକ୍ତ ମାମଲା ବାଲେଶ୍ୱର ଓପିଆଇଡ଼ି କୋର୍ଟରେ ବିଚାରାଧୀନ ଥିଲା । ମାନ୍ୟବର ବିଚାରପତି ଉକ୍ତ ମାମଲାକୁ ୧୬ ସାକ୍ଷ୍ୟ ଓ ୫୪ ଦସ୍ତାବିଜ୍ ମୂଳେ ବିଚାର କରି କମ୍ପାନୀର ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୨ଲକ୍ଷ ୪୦ହଜାର ଟଙ୍କା ଜରିମାନା, ଅନାଦେୟ ୨ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ପ୍ରଣୟ କୁମାର ବେହେରାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଓ କର୍ମଚାରୀ ଅଭିମନ୍ୟୁ ମହାପାତ୍ରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାର ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।