ରାହୁଲଙ୍କୁ ଚେତାବନୀ ଦେଲେ ଉଦ୍ଧବ, ସାବରକରଙ୍କୁ ଅପମାନିତ କରିବାରୁ କ୍ଷାନ୍ତ ରୁହନ୍ତୁ
ମାଲେଗାଓଁ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଲେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ।ହିନ୍ଦୁତ୍ବ ଆଦର୍ଶବାଦୀ ସାବରକରଙ୍କୁ ସେ ତାଙ୍କ ଆଦର୍ଶ ମାନନ୍ତି । ବି.ଡି ସାବରକରଙ୍କୁ ଅପମାନିତ କରିବାରୁ ରାହୁଲ କ୍ଷାନ୍ତ ରୁହନ୍ତୁ ବୋଲି ଉଦ୍ଧବ କହିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶିବସେନା (ୟୁବିଟି), କଂଗ୍ରେସ ଏବଂ ଏନସିପିକୁ ନେଇ ମହାବିକାଶ ଅଘାଡି (ଏମଭିଏ) ମେଣ୍ଟ ଗଠନ ହୋଇଥିଲା । ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ।
ଉତ୍ତର ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ମୁସଲିମ ବହୁଳ ସହର ମାଲେଗାଓଁରେ ଏକ ଜନସଭାକୁ ସମ୍ବୋଧିତ କରି ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଏପରି କହିବାକୁ (ସାବରକରଙ୍କୁ ଅପମାନିତ) ଜାଣିଶୁଣି ପ୍ରବର୍ତ୍ତା ଯାଉଛି । ସେ କହିଛନ୍ତି, “ସବରକର ଆମ ଆଦର୍ଶ । ତାଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ଆମକୁ ଏକାଠି ଲଢ଼ିବାକୁ ପଡିବ। ୧୪ ବର୍ଷ ଧରି ଆଣ୍ଡାମାନ ଜେଲରେ ସାବରକର ଅକଳ୍ପନୀୟ ନିର୍ଯାତନା ଭୋଗିଥିଲେ । ତାଙ୍କ ବଳିଦାନ ଏକ ପ୍ରତୀକ ।”
ଗୁଜରାଟର ଏକ କୋର୍ଟ ଦ୍ବାରା ୨୦୧୯ର ଏକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଥିଲା । ଏହାର ଦିନକ ପରେ ଏକ ପ୍ରେସମିଟରେ ରାହୁଲ ଗାନ୍ଧୀ କହିଥିଲେ, “ମୁଁ ସାବରକର ନୁହେଁ, ମୋ ନାମ ଗାନ୍ଧୀ..ଆଉ ଗାନ୍ଧୀ କେବେ କାହାକୁ କ୍ଷମା ମାଗନ୍ତି ନାହିଁ।”