ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ବିରୋଧ ପାଇଁ ସମର୍ଥକଙ୍କୁ କଲେ ନିବେଦନ
ନୂଆଦିଲ୍ଲୀ : ଗିରଫ ହୋଇପାରନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ ଏହି ସୂଚନା ଦେଇଥିବା ବେଳେ ମଙ୍ଗଳବାର ସୁଦ୍ଧା ତାଙ୍କୁ ଗିରଫ କରାଯାଇ ପାରେ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ଗିରଫକୁ ବିରୋଧ କରିବା ପାଇଁ ସେ ତାଙ୍କ ସମର୍ଥମାନଙ୍କୁ ନିବେଦନ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ତାଙ୍କ ଗିରଫ ନେଇ ମେନହଟ୍ଟନ ଜିଲା ଆଟର୍ଣ୍ଣିଙ୍କ ଅଫିସରୁ ଗୁପ୍ତ ସୂଚନା ମିଳିଛି। ତେବେ ତାଙ୍କ ବିରୋଧରେ ଆରୋପ କଣ ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।
ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ନ୍ୟୁୟର୍କ ପ୍ରସିକ୍ୟୁଟର କିଛି ମହିଳାଙ୍କୁ ପୈଠ କରାଯାଇଥିବା ଧନ ସମ୍ପର୍କିତ ମାମଲାର ତଦନ୍ତ କରୁଛନ୍ତି। ଏହି ମାମଲାରେ ତାଙ୍କର ଗିରଫ ହୋଇପାରେ ବୋଲି ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଏହି ମହିଳାମାନଙ୍କୁ ଯୌନ ସମ୍ବଦ୍ଧ ବଦଳେ ଧନ ଦେଇ ମାମଲାକୁ ସାର୍ବଜନିକ ନ କରିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଟ୍ରମ୍ପ ଶନିବାର ପ୍ରତ୍ୟୁଷରେ ତାଙ୍କ ସୋସିଆଲ ନେଟୱାର୍କ ଟ୍ରୁଥ୍ ରେ କରିଥିବା ଏକ ପୋଷ୍ଟରେ କହିଛନ୍ତି ଯେ ମେନହଟ୍ଟନ ଜିଲ୍ଲା ଆଟର୍ଣ୍ଣିଙ୍କ କାର୍ଯ୍ୟାଳୟରୁ ଅବୈଧ ଭାବେ ଲିକ୍ ସୂଚନାରୁ ସଂକେତ ମିଳୁଛି ଯେ ରିପବ୍ଲିକାନ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଗାମୀ ସପ୍ତାହ ମଙ୍ଗଳବାର ଗିରଫ କରାଯାଇ ପାରେ।
ଏଥିପାଇଁ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ବିରୋଧ କରିବାକୁ ନିବେଦନ କରିଛନ୍ତି। ନ୍ୟୁୟର୍କ ଆଇନ ପ୍ରବର୍ତ୍ତନ ଅଧିକାରୀ ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରୁଛନ୍ତି। ମାମଲାରେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ଆଣିବା ପୂର୍ବରୁ ସମ୍ଭାବିତ ଭୋଟ ସମେତ ଜୁରିଙ୍କ ନିଷ୍ପତ୍ତି ଲାଗି କୌଣସି ପ୍ରକାର ସମୟ ସୀମାର ସାର୍ବଜନିକ ଘୋଷଣା ହୋଇ ନାହିଁ। ତେବେ ଏହି ମାମଲା ପର୍ଣ୍ଣ ଷ୍ଟାର ଡାନିଏଲଙ୍କ ସମ୍ପର୍କିତ ବୋଲି ଅନୁମାନ କରାଯାଉଛି। ଡାନିୟଲଙ୍କ ବାସ୍ତବ ନାମ ଷ୍ଟେଫନୀ କ୍ଲିଫୋର୍ଡ, ଏକ ଦଶନ୍ଧୀ ପୂର୍ବେ ଟ୍ରମ୍ପଙ୍କ ସହ ତାଙ୍କର ଆଫେୟର ଥିଲା ବୋଲି ସେ କହିଥିଲେ। ତେବେ ଟ୍ରମ୍ପ ଏପରି କୌଣସି ଆଫେୟରକୁ ଅସ୍ୱୀକାର କରୁଛନ୍ତି। ଟ୍ରମ୍ପ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଚ୍ରପତି ଥିଲେ।