ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କମିବ ୩୦% ସିଲାବସ୍ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଚଳିତବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ ୩୦% କମିବ । ଅର୍ଥାତ ୭୦% ସିଲାବସରୁ ହିଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କରୋନାର ଦ୍ୱିତୀୟ ଲହରକୁ ଦେଖି ଏଭଳି ନିଷ୍ପତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ଶ୍ରେଣୀଗୃହ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ପିଲାଏ ଅନଲାଇନରେ ପାଠ ପଢୁଛନ୍ତି । ତେଣୁ ଏଭଳି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
ସିଲାବସ୍ ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ । ହେଲେ ସ୍କୁଲ ଖୋଲିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ । ଅନଲାଇନ୍ ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଛି । ଅନଲାଇନ୍ ଶିକ୍ଷା ନେଉଥିବା ପିଲାଙ୍କର କୌଣସି ସମସ୍ୟା ହେଲେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ । ତେଣୁ ଚଳିତ ବର୍ଷ ବି ସିଲାବସ୍ କମାଇବା ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।