ସନ୍ଦିଗ୍ଧ ପାରାର ହେବ ଡିଏନ୍ଏ ଟେଷ୍ଟ, ସିଏଫଏସଏଲକୁ ଯିବ କ୍ୟାମେରା ଓ ଚିପ୍
ଭୁବନେଶ୍ବର : ପାରାଦୀପରୁ ସନ୍ଦିଗ୍ଧ ପାରା ମିଳିବା ଘଟଣାରେ ପାରାର ହେବ ଡିଏନ୍ଏ ଟେଷ୍ଟ । ଏଥିସହ ସିଏଫଏସଏଲକୁ ଯିବ ପାରା ଶରୀରରେ ଲାଗିଥିବା କ୍ୟାମେରା ଓ ଚିପ୍ । ପାରାଟି କେଉଁ ଅଞ୍ଚଳରୁ ଆସିଛି ଦେଶ ଭିତରୁ ନା ଦେଶ ବାହାରୁ ଟେଷ୍ଟିଂ ପରେ ତାହା ଜଣାପଡିବ । ବର୍ତ୍ତମାନ ଭୁବନେଶ୍ବର ରସୁଲଗଡ ସ୍ଥିତ ଏସଏଫଏସଏଲରେ ପାରାକୁ ରଖାଯାଇଛି । ପାରା ଶରୀରରେ ଲେଖାଥିବା ସଙ୍କେତ ସମ୍ପର୍କରେ ଜାଣିବାକୁ ସେଣ୍ଟ୍ରାଲ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଲେଖା ପଠାଯିବ ବୋଲି ଜଣାପଡିଛି ।
ସନ୍ଦିଗ୍ଧ ପାରାକୁ ଅଧିକ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ପଞ୍ଜୁରୀରେ ଷ୍ଟେଟ୍ ଫୋରେନସିକ୍ ଲ୍ୟାବ୍କୁ ଆଣିଥିଲା ପାରାଦୀପ ପୋଲିସ । ପ୍ରଥମେ ପାରାଦୀପ ମେରାଇନ୍ ପୋଲିସ ପାରାଟିକୁ ଧରି କଟକ ବକ୍ସିବଜାର ପୋଲିସ ମୁଖ୍ୟାଳୟ ପରିସରରେ ଥିବା ପିଜନ ସ୍କ୍ବାଡ୍ରେ ପହଞ୍ଚିଥିଲା । ସେଠାରେ କିଛି ସମୟ ରହିବା ପରେ ରସୁଲଗଡ ସ୍ଥିତ ରାଜ୍ୟ ଫୋରେନସିକ୍ ଲାବରୋଟୋରିକୁ ଅଣାଯାଇଥିଲା । କଟକ ପିଜନ କ୍ୟାରିଅର ଅଧିକାରୀ, ଜଗତସିଂହପୁର ଜିଲା ଏସଏଫଏସଏଲର ଅଧିକାରୀ ବି ସାଙ୍ଗରେ ଥିଲେ ।
ସୂଚନା ଯେ, ଗତ ବୁଧବାର ପାରାଦୀପ-କୋଣାର୍କ ମଝି ସମଦ୍ରରୁ ସାରଥି ନାମକ ବୋଟ୍ ମାଛ ଧରୁଥିବା ବେଳେ ବୋଟ୍ରେ ଆସି ବସିଥିଲା ଏହି ପାରା । ମତ୍ସ୍ୟଜୀବୀମାନେ ପ୍ରଥମେ ପାରାକୁ ଧରିବା ପରେ ତା ଗୋଡରେ କ୍ୟାମେରା, ଚିପ୍ ଲାଗିଥିବାର ଦେଖିଥିଲେ । ପାରା ଡେଣାରେ ବିଦେଶୀ ଭାଷାରେ କିଛି ଲେଖା ଯାଇଥିବା ବି ଦେଖିବାକୁ ମିଳିଥିଲା । ପାରାକୁ ନେହେରୁ ବଙ୍ଗଳା ମେରାଇନ୍ ଥାନାର ଜିମା ଦେଇଥିଲେ ମତ୍ସ୍ୟଜୀବୀ । ଏହା ଏକ ଗୁପ୍ତଚର ପାରା ବୋଲି ସନ୍ଦେହ କରାଯାଉଛି ।