ରାଜ୍ୟରେ ବିଳମ୍ବ ହୋଇପାରେ ପଂଚାୟତ ନିର୍ବାଚନ
- ୨୦୨୨ ମାର୍ଚ୍ଚ ୧୦ରେ ସରୁଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ
- ସରିନି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ
ଭୁବନେଶ୍ୱର : ରାଜ୍ୟରେ ବିଳମ୍ବିତ ହୋଇପାରେ ପଂଚାୟତ ନିର୍ବାଚନ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଂଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା । କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ସେ କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏର୍ପ୍ୟନ୍ତ ଏହି କାର୍ଯ୍ୟ ଶେଷ ହୋଇନାହିଁ । ଗତ ମାର୍ଚ୍ଚ ୧୦ରେ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏପ୍ରିଲ ୩୦ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ କୁହାଯାଇଥିଲା । ତାପୂର୍ବରୁ ଜାନୁଆରୀ ମାସରେ ବି କମିଶନଙ୍କ ପକ୍ଷରୁ ସମାନ ପ୍ରସଙ୍ଗରେ ପତ୍ର ଲେଖାଯାଇଥିଲା ।ଏହା ସତ୍ୱେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ସରିନଥିବାରୁ ନିର୍ବାଚନ ଯଥା ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। ତଥାପି ସରକାର ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଶେଷ କରିନାହାନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ଗତ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଗତ ମାର୍ଚ୍ଚ ୧୦ରେ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତିରାଜ ବିଭାଗକୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା। ତେବେ ଏଥିନେଇ ରାଜ୍ୟ ସରକାରଙ୍କଠାରୁ କୌଣସି ଯୋଗାଯୋଗ କରାଯାଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି। ପୌର ଓ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ ୬୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ସ୍ଥାନୀୟ ଅଞ୍ଚଳ ନିର୍ବାଚନ(ଲୋକାଲ ବଡି ଇଲେକସନ)ରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଯାହା ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ। ପ୍ରତି ୫ ବର୍ଷରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ତେଣୁ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଏସବୁ କାର୍ଯ୍ୟ ଶେଷ କରିବେ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି।