ଜାତୀୟ ବିଜ୍ଞାନ ଦିବସରେ ଛାତ୍ରଛାତ୍ରୀ ପୁରସ୍କୃତ
ଯାଜପୁର : ଯାଜପୁର ବ୍ଳକର କପାସି ସ୍ଥିତ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଭୁ ମହାବୀର ଓ ବୈଜ୍ଞାନିକ ସାର୍ ସି.ଭି.ରମଣଙ୍କ ଫଟୋରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ତଥା ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ମୋହନ ଚରଣ ଦାଶ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ବିଜ୍ଞାନର ଜଟିଳ ତଥ୍ୟକୁ କିପରି ଛାତ୍ରଛାତ୍ରୀଙ୍କୁ ବୁଝାଇ ହେବ ତାହା ଉଲ୍ଲେଖ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଥିରେ ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତାରୂପେ ବରୁଣେଶ୍ୱର ମହାବିଦ୍ୟାଳୟର ଅବସରପ୍ରାପ୍ତ ରସାୟନ ବିଜ୍ଞାନ ପ୍ରଧ୍ୟାପକ ଡଃ ଚତୁର୍ଭୂଜ ସାହୁ ଛାତ୍ରଛାତ୍ରୀମାନଙ୍କୁ ରମଣଙ୍କ ଜୀବନୀ ଓ କାର୍ଯ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ତଥା ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ବକ୍ତାରୂପେ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସର ତାତ୍ପର୍ଯ୍ୟ ଏବଂ ଚଳିତ ବର୍ଷର ମୁଖ୍ୟ ବିଷୟ- “ବିଶ୍ୱ ବିଜ୍ଞାନ ଓ ବିଶ୍ୱ ସୁସ୍ଥତା” ଉପରେ ଆଲୋକପାତ କରିଥିଲେ । ମଞ୍ଚାସିନ ଅତିଥିରୂପେ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନର ସଭାପତି ପୀତାମ୍ବର ସ୍ୱାଇଁ, ମହାବୀର ସଂସ୍କୃତ ଟୋଲର ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ର, ଶିକ୍ଷକ ଚିତ୍ତରଂଜନ ରଣା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରସାରିକା ଧିର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ବିଭୂପ୍ରସାଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଥିବା ବିଜ୍ଞାନଭିତ୍ତିକ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଆଜି ମଧ୍ୟ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ପାରମ୍ପରିକଭାବେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପରିଡ଼ା, ସୋନାଲି ନାୟକ, ଅନୁରାଧା ବାରିକ, ବିକଜ ନଳିନୀ ଦାସ, ରଶ୍ମିରେଖା ସାହୁ, ଦାମୋଦର ସ୍ୱାଇଁ, ବାସୁଦେବ ମହାପାତ୍ର, ଭାଗିରଥି ସାହୁ, ଶାନ୍ତିଲତା ନାଥ ଶର୍ମା, ଦିପ୍ତୀବାଳା ସାମଲ, ମିନାକ୍ଷୀ ପରିଡ଼ା, ବିଜୁଳୀ ଦାସ, ହରିହର ଦାସ, କୈଳାଶ ବେହେରା ଓ ପ୍ରକାଶ ପଢ଼ିହାରୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ତୃପ୍ତି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।