ବାଲେଶ୍ୱର : ବିଶ୍ୱ ନୀଳରକ୍ତ କଙ୍କଡ଼ା ସୁରକ୍ଷା ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର : ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ସୁରକ୍ଷା ଦିବସ ଅବସରରେ ସୋମବାର ବାଲେଶ୍ୱର ରେଳଷ୍ଟେସନ ନିକଟରେ ନୀଳରକ୍ତ କଙ୍କଡ଼ା ସୁରକ୍ଷା ଉପରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ” ତରଫରୁ ସଦସ୍ୟମାନେ ସମାଜପାଇଁ ନୀଳରକ୍ତ କଙ୍କଡ଼ାର ବହୁ ଉପାଦେୟତା ସମ୍ପର୍କରେ ପ୍ଲାକାର୍ଡ଼ ଧରି ଦଣ୍ଡାୟମାନ ହୋଇଥିଲେ ।
ବାଲେଶ୍ୱରରେ ନୀଳରକ୍ତ କଙ୍କଡ଼ା ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ଉପରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହ ବିଦ୍ୟାଳୟର ପାଠ୍ୟକ୍ରମରେ ନୀଳରକ୍ତ କଙ୍କଡ଼ାର ଉପାଦେୟତା ବିଷୟରେ ଶିକ୍ଷାଦାନ ପାଇଁ ମଞ୍ଚ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରେ ଦାବି କରାଯାଇଛି । ଆମେରିକା, ଚୀନ୍, ଥାଇଲାଣ୍ଡ୍ ପ୍ରଭୃତି ଦେଶମାନଙ୍କରେ ନୀଳରକ୍ତ କଙ୍କଡ଼ାରୁ ମାନବ ସମାଜ ପାଇଁ ଅନେକ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହୋଇପାରୁଛି । ବଙ୍ଗୋପସାଗରର ଅବିଭକ୍ତ ବାଲେଶ୍ୱର ଜିଲା ଉପକୂଳରେ ଏହି କଙ୍କଡ଼ା ପ୍ରଚୁର ପରିମାଣରେ ଦେଖିବାକୁ ମିଳେ । କିନ୍ତୁ ମତ୍ସ୍ୟଜୀବୀ ଓ ଉପକୂଳ ଅଞ୍ଚଳର ବାସିନ୍ଦାମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ବହୁ ନୀଳରକ୍ତ କଙ୍କଡ଼ା ମୃତ୍ୟୁବରଣ କରୁଛନ୍ତି । ହଜାର ହଜାର ବର୍ଷ ଧରି ଏହି ଜୀବ ବହୁ ଘାତ ପ୍ରତିଘାତରେ ବଞ୍ôଚରହିଛି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ ନିମିତ୍ତ ମଞ୍ଚ ତରଫରୁ ନିବେଦନ କରାଯାଇଛି । ସଚେତନତା କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ଲକ୍ଷ୍ମୀଧର ବେହେରା, ସମ୍ପାଦକ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ଗୌରାଙ୍ଗ ପାଣିଗ୍ରାହୀ, ଶିଳ୍ପୀ କେଶୁ ଦାସ, ସୀତାରାମ ପ୍ରଧାନ, ପ୍ରବୀର କମିଳା, ଆୟୁବ ଅଲ୍ଲୀ ଖାଁ, ଗଗନ କୁମାର ସେଠୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ନିରଞ୍ଜନ ପରିଡ଼ା, ଇଂ. କୁମାର କାର୍ତ୍ତିକ, ସନାତନ ଟୁଡୁ ଓ କୃତିବାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।