ଦୁଇ ଦିନ ପରେ ସ୍ୱାଭାବିକ ହେଲା ଗୃହ, ଶାନ୍ତିଶୃଙ୍ଖଳାରେ ଚାଲିଛି ପ୍ରଶ୍ନକାଳ
ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଗୁରୁବାର ଶାନ୍ତିଶୃଙ୍ଖଳାରେ ଚାଲିଛି ଗୃହ । ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା ଜାରି ରହିଛି। ସୁବର୍ଣ୍ଣପୁର ଜିଲା ଖଇରମାଳ ଓ ଗୋଧନେଶ୍ୱରଠାରେ ଇନ୍ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରାଯିବ। ୬ ବର୍ଷ ମଧ୍ୟରେ ଏହାର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନ୍ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଶେଷ ହେବ। ବଳକା ଟେଣ୍ଡର ଖୁବ୍ଶୀଘ୍ର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଅଵବାହିକାରେ ଖଇରମାଳ, ଗୋଧନେଶ୍ବର ଓ କପାଶିରାଠାରେ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। ଖଇରମାଳ, ଗୋଧନେଶ୍ବର କେବଳ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା ଅଛି । ଏହାକୁ ଅସନ୍ତୋଷ ପ୍ରକାଶ କରି ପଦ୍ମନାଭ କହିଛନ୍ତି, ଇନଷ୍ଟ୍ରିମ ଷ୍ଟୋରେଜ ନ ହେଲେ ମେଗା ଲିପିଟ ପଏଣ୍ଟ ଉଠା ଜଳସେଚନ କେମିତି ହେବ? ଏହା ସହ ସେ କହିଛନ୍ତି ବର୍ଷାଦିନେ ବି ଉପର ମୁଣ୍ଡରେ ଗେଟ ବନ୍ଦ ହେଲେ ପାଣି ଟିକିଏ ଆସୁନାହିଁ।
ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ସରକାରଙ୍କ ପୂର୍ବ ଘୋଷଣା କାର୍ଯ୍ୟକାରୀ ନ ହେବାକୁ ନେଇ ବିରକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବି ଭୁବନେଶ୍ବରର ପାନୀୟ ଜଳ ବ୍ୟବସ୍ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଛତିଶଗଡ଼ ବନ୍ଧ ବାନ୍ଧି ପାଣି ରୋକୁଥିବା ବେଳେ କି ବ୍ୟବସ୍ଥା ସରକାର ନେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।