ଏମସିଡିରେ ଆପର ଦବଦବା, ମେୟର ପରେ ହାତେଇଲା ଡେପୁଟି ମେୟର ପଦ
ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡିରେ ଆମ୍ ଆଦମୀ ପାର୍ଟି (ଆପ୍)ର ଦବଦବା । ମେୟର ପରେ ଡେପୁଟି ମେୟର ପଦ ବି ହାତେଇଲା ଆପ୍ । ଆପ୍ର ଶୈଲୀ ଓବରୟ ମେୟର ନିର୍ବାଚିତ ହୋଇଥିବା ବେଳେ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।
ଡେପୁଟି ମେୟର ନିର୍ବାଚନ ପାଇଁ ମୋଟ ୨୬୫ ଭୋଟ୍ ପଡ଼ିଥିଲା। ସେଥିମଧ୍ୟରୁ ୨ଟି ଭୋଟକୁ ରଦ୍ଦ କରାଯାଇଥିଲା। ଡେପୁଟି ମେୟର ନିର୍ବାଚନରେ ଆଲେ ମହମ୍ମଦ ୧୪୭ ଭୋଟ୍ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କମଲ ବାଗଡିଙ୍କୁ ମାତ୍ର ୧୧୬ ଭୋଟ୍ ମିଳିଥିଲା । ଆପ୍ ପ୍ରାର୍ଥୀ ଇକବାଲ ବିଜେପୀ ପ୍ରାର୍ଥୀ କମଲଙ୍କୁ ୩୧ ଖଣ୍ଡ ଭୋଟ୍ରେ ହରାଇ ବିଜୟୀ ହୋଇଛନ୍ତି।
ଏହାପୂର୍ବରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଶେଲି ଓବେରୟ ମେୟର ନିର୍ବାଚନ ଜିତିଥିଲେ। ସେ ବିଜେପିର ରେଖା ଗୁପ୍ତାଙ୍କୁ ହରାଇଥିଲେ । ମେୟର ପଦ ପାଇଁ ନିର୍ବାଚନରେ ଶେଲି ଓବେରୟ ୧୫୦ ଭୋଟ୍ ପାଇଥିଲେ । ବିଜେପି ପ୍ରାର୍ଥୀ ରେଖା ଗୁପ୍ତାଙ୍କ ସପକ୍ଷରେ ୧୧୬ ଭୋଟ୍ ପଡ଼ିଥିଲା ।
ଦିଲ୍ଲୀ ଉପନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍ କରି ଇକବାଲଙ୍କୁ ବଧେଇ ଜଣାଇଛନ୍ତି। କେଜରିୱାଲ୍ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି “ଦିଲ୍ଲୀ ନଗର ନିଗମରେ ଡେପୁଟି ମେୟର ନିର୍ବାଚିତ ହେବା ପରେ ଆଲେ ଇକବାଲ ଓ ଦିଲ୍ଲୀ ଜନତାଙ୍କୁ ବହୁତ ବହୁତ ଧନ୍ୟବାଦ। ଜନତାଙ୍କ ବିଜୟ ହୋଇଛି।”
ସେହିପରି ମନୀଷ ସିସୋଦିଆ ଟ୍ୱିଟ୍ କରି ଲେଖିଛନ୍ତି “ଦିଲ୍ଲୀ ନଗର ନିଗମରେ ଆମ ଆଦ୍ମୀ ପାର୍ଟିର ଡେପୁଟି ମେୟର ନିର୍ବାଚିତ ହେବା ପରେ ଆଲେ ଇକବାଲଙ୍କୁ ବହୁତ ବହୁତ ବଧେଇ। ବିଜେପି, କେନ୍ଦ୍ର ସରକାର ଓ ଏଲ୍ଜି ସାହେବ ପର୍ଯ୍ୟନ୍ତ ସମସ୍ତ ସମ୍ବିଧାନ ବିରୋଧରେ ଯାଇ ଅଟକାଇବାକୁ ଚେଷ୍ଟା କରି ଚାଲିଥିଲେ। କିନ୍ତୁ… ଦିଲ୍ଲୀ ଜନତା କରି ଦେଖାଇ ଦେଲେ ଯେ ଏମ୍ସିଡିରେ ବି କେଜରିୱାଲ୍।”
ସୂଚନା ଯେ, ଦିଲ୍ଲୀ ନଗର ନିଗମ ହାଉସର ୨୭୪ଟି ଭୋଟ୍ ମଧ୍ୟରୁ ଆପ୍ ୧୫୦ ଆସନ ବିଜୟୀ ହୋଇଥିବା ବେଳେ ବିଜେପିକୁ ୧୧୩ ଭୋଟ ମିଳିଥିଲା। ଯଦି ବୟସ୍କ ପ୍ରାର୍ଥୀ କିମ୍ବା ମନୋନୀତ ପ୍ରାର୍ଥୀଙ୍କୁ ଭୋଟ୍ ପାଇଁ ଅନୁମତି ମିଳିଥାନ୍ତା ତେବେ ବିଜେପିର ସଂଖ୍ୟା ୧୨୩ ହୋଇଥାନ୍ତା। ତଥାପି ବିଜେପି ଏହି ନିର୍ବାଚନ ହାରିଥାନ୍ତା। କାରଣ ମେୟର ପଦ ପାଇଁ ମ୍ୟାଜିକ୍ ନମ୍ବର ୧୩୮ ରହିଛି।