ବ୍ରିଟେନରେ କରୋନାର ତୃତୀୟ ଲହର, ବିପଦଜନକ ହେଇପାରେ ଡେଲ୍ଟା ଭାରିଏଣ୍ଟ!
ଲଣ୍ଡନ : ମହାମାରୀ କରୋନା ଭାଇରସ ମହାମାରୀ ବିରୋଧରେ ସାରା ବିଶ୍ୱର ସଂଗ୍ରାମ ଜାରି ରହିଛି। ଇତିମଧ୍ୟରେ ବ୍ରିଟେନକୁ କରୋନାର ତୃତୀୟ ଲହର ପହଞ୍ଚିସାରିଥିବା ବିଶେଷଜ୍ଞ ଆକଳନ କରୁଛନ୍ତି। ଯେଉଁଥିରେ ଡେଲ୍ଟା ଭାରିଏଣ୍ଟର ପ୍ରକୋପ ଦେଖିବାକୁ ମିଳିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଜଏଣ୍ଟ କମିଟି ଅନ ଭାକ୍ସିନେସନ ଏଣ୍ଡ ଇମ୍ୟୁନାଇଜେସନ (ଜେସିଭିଆଇ) ମୁଖ୍ୟ ପରାମର୍ଶଦାତା ପ୍ରଫେସର ଏଡମ ଫିନ୍ ଉପୁଜିଥିବା ପରିସ୍ଥିତିକୁ ବ୍ରିଟେନରେ ଟିକାକରଣ ଓ ସଂକ୍ରମଣର ଏହା ପ୍ରତିଦ୍ୱନ୍ଦ୍ୱୀତାର ସମୟ ବୋଲି କହିଛନ୍ତି। ଯେଉଁଥିରେ କରୋନା ଡେଲ୍ଟା ଭାରିଏଣ୍ଟର ପ୍ରକୋପ ସ୍ପଷ୍ଟ ଅନୁଭବ ହୋଇପାରୁଥିବା ସେ କହିଛନ୍ତି। ଗତ ଫେବୃଆରୀରେ ଦିନକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର କରିଥିଲା। ତେବେ ତା ପରଠାରୁ ସଂକ୍ରମଣ କ୍ରମଶଃ ହ୍ରାସ ହୋଇ ଚାଲିଥିବା ବେଳେ ସରକାର କଟକଣା ହଟାଇବାକୁ ବିଚାର କରୁଥିଲେ। ତେବେ ଲକଡାଉନ୍ ହଟାଇବା ଲାଗି ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ଦେଶରେ କରୋନାର ତୃତୀୟ ଲହର ଆସିଯାଇଛି। ସଂକ୍ରମଣ ଏବେ ଧିମା ରହିଛି, ଏହା ସତ୍ତ୍ୱେ ଦୈନିକ ନୂଆ ସଂକ୍ରମିତଙ୍କ ହାର ପୁଣି ଥରେ ୧୦ ହଜାର ଟପିଛି।ପ୍ରଫେସର ଫିନ ସଂକ୍ରମଣର ବେଗକୁ ଆକଳନ କରି ଏହା ଅଧିକ ବଢିବନି ବୋଲି ଆଶାବ୍ୟକ୍ତ କରିଛନ୍ତି। ତଥାପି ସଂକ୍ରମିତଙ୍କ ସଂଖ୍ୟା ଯେଉଁ ହାରରେ ବଢୁଛି ଏହା ନିଶ୍ଚିତ ଭାବେ ତୃତୀୟ ଲହର ଆଡକୁ ଇଙ୍ଗିତ କରୁଛି ବୋଲି ସେ କହିଛନ୍ତି। ଏଣୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ବ୍ୟତୀତ ଏବେ ଆମ ପାଖରେ ଅନ୍ୟ କୌଣସି ଉପାୟ ନଥିବା ସେ କହିଛନ୍ତି। ଭୂତାଣୁର ଏହି ଭାରିଏଣ୍ଟ ଭାରତକୁ ହୁଲସ୍ତୁଲ କରିଦେଇଥିଲା। ଶ୍ମାସାନରେ ଦିନଦିନ ଧରି ନିଆଁ ଲିଭୁନଥିବା ବେଳେ ହସ୍ପିଟାଲମାନଙ୍କରେ ଲୋକଙ୍କ ଲାଗି ବେଡ ମିଳିନଥିଲା। ଅକ୍ସିଜେନ ଲାଗି ଲୋକେ ଛଟପଟ ହୋଇ ପ୍ରାଣ ହରାଇଥିଲେ। ଏଣୁ ଭୂତାଣୁ ଭାରିଏଣ୍ଟକୁ ନେଇ ବ୍ରିଟେନ ସତର୍କ ହୋଇଯାଇଛି।