ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ଶୁବମନ ଗିଲ୍
ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ଜାନୁଆରୀ ମାସର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ଘୋଷଣା କରାଯାଇଛି। ଟିମ ଇଣ୍ଡିଆର ଯୁବ ଓପନର ଶୁବମନ ଗିଲ୍ ସମସ୍ତଙ୍କୁ ପଛରେ ପକାଇ ଆଇସିସିର ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ୨୦୨୩ ଜାନୁଆରୀ ମାସରେ ଗିଲ୍ ସୀମିତ ଓଭର କ୍ରିକେଟରେ ରେକର୍ଡ ବ୍ରେକିଂ ପ୍ରଦର୍ଶନ କରିଥିଲେ।
ସେ ଜାନୁଆରୀ ମାସରେ ଭାରତ ପାଇଁ ଖେଳିଥିବା ପ୍ରତିଟି ଧଳା ବଲ ମ୍ୟାଚ୍ରେ ବଡ଼ ସ୍କୋର କରିଥିଲେ। ବିଶେଷ କରି ଦିନିକିଆ କ୍ରିକେଟରେ ସେ ତାଙ୍କର ଦମ ଦେଖାଇଥିଲେ। ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ଗିଲ୍ ଶତକ ଓ ଦୁଇ ଶତକ ମଧ୍ୟ ହାସଲ କରିଥିଲେ।
ଜାନୁଆରୀ ମାସରେ ଗିଲରେ ୩ଟି ଶତକ ସହ ମୋଟ ୫୬୭ ରନ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଖେଳା ଯାଇଥିବା ବେଳେ ଗିଲ୍ ଡବଲ ଟନ ମାରିଥିଲେ। ସେ ଉକ୍ତ ମ୍ୟାଚ୍ରେ ମାତ୍ର ୧୪୯ ବଲରେ ୨୦୮ ରନର ଇନିଂସ ଖେଳିଥିଲେ। ଏଥିସହ ସେ ବିଶ୍ୱର ସର୍ବକନିଷ୍ଠ କ୍ରିକେଟର ଭାବେ ଦ୍ୱିଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ଏହାବାଦ ସେ ଶ୍ରୀଲଙ୍କା ବିପକ୍ଷରେ ୧୧୬ ରନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୧୧୨ ରନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଆଇସିସି ପକ୍ଷରୁ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।