ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦ : ଆଜିଠୁ ବିଜେପିର ୩ ଦିନିଆ ଆନ୍ଦୋଳନ
ଭୁବନେଶ୍ୱର : ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦରେ ଚଳିତ ମାସ ୧୪, ୧୫, ୧୬ ରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ମଙ୍ଗଳବାର ରାଜଧାନୀର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ୧୫ ତାରିଖ ଦିନ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ସେହିପରି ୧୬ତାରିଖ ଦିନ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବୀ କରି ପାଇଁ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ରାଜ୍ୟରେ ସାଇବର କ୍ରାଇମ, ଶିଶୁ ଅପହରଣ, ଲୁଟ୍, ଧର୍ଷଣ ଓ ହତ୍ୟା ଭଳି ଅପରାଧ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଜାତୀୟ ସ୍ତରରେ ଓଡିଶାର ସ୍ଥାନ ସର୍ବାଗ୍ରେ ରହିଥିବାର ଏନସିଆରବି ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି । ଏପରିକି ବିଧାନସଭାରେ ମଧ୍ୟ ରାଜ୍ୟ ସରକାର ନିଜେ ସ୍ୱୀକାର କରିଛନ୍ତି । ୨୩ ବର୍ଷ ଧରି ଓଡ଼ିଶାର ଗୃହମନ୍ତ୍ରୀ ଦାୟୀତ୍ୱରେ ଥିବା ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜ ନୈତିକତା ହରାଇଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ପଦରୁ ଓହରି ଯିବା ଉଚିତ୍ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ସୁରକ୍ଷା କର୍ମୀ ହତ୍ୟା କରିଥିଲେ । ସେହିପରି ରାଜ୍ୟ କ୍ୟାବିନେଟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୃହ ବିଭାଗର ପୋଲିସ ଅଧିକାରୀ ଜଣକ ଗୁଳି କରି ହତ୍ୟା କଲେ । ଏଭଳି ସମ୍ବେଦନଶୀଳ ହତ୍ୟାର ତଦନ୍ତ ମଧ୍ୟ ସେହି ଗୃହ ବିଭାଗର କ୍ରାଇମବ୍ରାଂଚ ଦ୍ୱାରା କରାଗଲା । ମୁଖ୍ୟମନ୍ତ୍ରୀଙ୍କର ଗୃହବିଭାଗ, ପୋଲିସ ଡିଜି, ଗୃହ ବିଭାଗ ସଚିବ ପ୍ରମୁଖ ସ୍ୱର୍ଗତଃ ଦାସଙ୍କ ମୃତ୍ୟୁର ତଦନ୍ତ କରିବା କଥା କିନ୍ତୁ ତାହା ହେଲା ନାହିଁ । ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ କୈାଣସି ସତ୍ୟାସତ୍ୟ ସାମ୍ନାକୁ ଆସିଲା ନାହିଁ ।
ସ୍ୱର୍ଗତଃ ଦାସଙ୍କ ହତ୍ୟା ଓଡ଼ିଶା ରାଜନୀତିରେ ଏକ ବିରଳ ଘଟଣା ଏବଂ ସାଧାରଣ ଜନତା ଏହାର ସତ୍ୟାସତ୍ୟକୁ ଜାଣିବାର ନିହାତି ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ସରକାର ନିଜେ ତଦନ୍ତ କରିବା ଆଳରେ ମିଛ ଗପ ଶୁଣାଉଛନ୍ତି । ଓଡ଼ିଶାରେ ଏତେବଡ ଘଟଣା ଘଟିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ଥାଣୁ ପାଲଟିଯାଇଛନ୍ତି । ଓଡିଶାରେ ଯଦି ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା ନକହିବା ଭଲ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସାଡେ ଚାରି କୋଟି ଓଡିଶାବାସୀଙ୍କ ଆସ୍ଥା ମୁଖ୍ୟମନ୍ତ୍ରୀଙ୍କ ଉପରୁ ତୁଟିଯାଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ସଦର ଜିଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂ, ପୁରୀ ଜିଲା ସଭାପତି ଆଶ୍ରୀତ ପଟ୍ଟନାୟକ, ଖୋର୍ଦ୍ଧା ଜିଲା ସଭାପତି ରଶ୍ମୀରଂଜନ ମହାପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାଶ୍ ପ୍ରମୁଖ ଉପସ୍ଥିତ ଥିଲେ ।