ଧାନ କିଣା ଓ ଚାଉଳ କାଟ୍କୁ ନେଇ ଆଜିଠୁ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦ
ଆଜି ରାଜଭବନ ଆଗରେ ଧାରଣା
୧୫ରେ ପଂଚାୟତ ହେଡ଼କ୍ୱାଟର୍ସରେ ପ୍ରତିବାଦ
୧୬ରେ ବ୍ଲକ ଓ ଜିଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ
ଭୁବନେଶ୍ୱର : କେନ୍ଦ୍ର ବଜେଟ୍ ରେ ଧାନ କିଣା ପାଣ୍ଠି ହ୍ରାସ ଓ ଉଷୁନା ଚାଉଳ ଉଠାଣ ପରିମାଣ କମାଇବା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ ବିଜେଡି । ପୂର୍ବତନ ମନ୍ତ୍ରୀ, ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ଏବଂ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ । ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନହୁଏ ତେବେ ବିଜେଡି ଓଡିଶାର କୃଷକଙ୍କୁ ଅବହେଳା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ । ସେହିପରି ୧୫ ଫେବୃଆରୀରେ ଓଡିଶାର ସମସ୍ତ ୩୦ଟି ଜିଲାରେ ବିଜୁ ଜନତା ଦଳ ପ୍ରତ୍ୟେକ ଗ୍ରାମ ପଂଚାୟତ ହେଡକ୍ୱାର୍ଟରରେ ସାମୂହିକ ଅଂଶଗ୍ରହଣ ପାଇଁ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରିବେ । ୧୬ ଫେବୃଆରୀରେ, ବିଜୁ ଜନତା ଦଳ ଓଡିଶାର ପ୍ରତ୍ୟେକ ଜିଲାପାଳଙ୍କ କାର୍ଯ୍ୟାଳୟ ତଥା ଓଡ଼ିଶାର ପ୍ରତ୍ୟେକ ବ୍ଲକ ସମ୍ମୁଖରେ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିବେ ଏବଂ ପିଏମ୍ଜିକେଏୱାଇ କେନ୍ଦ୍ର ଦ୍ୱାରା ପୁନଃ ଆରମ୍ଭ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟ୍ ରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେବେ । ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବାବେଳେ ବର୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି । କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବନ୍ଦ କରିଦେଇଛି ଯାହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍ଏଫଏସ୍ଏ) ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା । ପିଏମ୍ଜିକେଏୱାଇ ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ କୃଷକମାନେ ଏମ୍ଏସ୍ପିରୁ ବଂଚିତ ହେବେ ।