ଦିଲ୍ଲୀ ମେୟର ନିର୍ବାଚନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ୧୭ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ କହିଛନ୍ତି ଯେ ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇ ପାରିବେ ନାହିଁ। ସମ୍ବିଧାନରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି । ଆପ୍ ମେୟର ପ୍ରାର୍ଥୀ ଶେଲୀ ଓବେରୟଙ୍କ ଆବେଦନ ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ଫେବୃଆରୀ ୧୬ରେ ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଛି । ଦିଲ୍ଲୀ ଉପରାଜ୍ୟପାଳଙ୍କ ପକ୍ଷରୁ ଏଏସଜି ସଞ୍ଜୟ ଜେନା ଏହି ମାମଲାରେ ବିସ୍ତୃତ ଶୁଣାଣି ହେବା ଉଚିତ ବୋଲି ଯୁକ୍ତି କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୭ରେ କରିବେ ।
ଦିଲ୍ଲୀ ମେୟର ନିର୍ବାଚନରେ ଭୋଟ୍ ଦେବା ପାଇଁ ଉପରାଜ୍ୟପାଳଙ୍କ ଦ୍ବାରା ମନୋନୀତ ୧୦ ଜଣ ସଦସ୍ୟଙ୍କୁ ଅନୁମତି ଦିଆଯାଇଥିଲା । ଏହାକୁ କେନ୍ଦ୍ରକରି ଦିଲ୍ଲୀ ମହାନଗର ନିଗମର ଗତ ତିନୋଟି ବୈଠକରେ ବିବାଦ ସୃଷ୍ଟି ହୋଇଥିଲା । ଆପର ତୀବ୍ର ବିରୋଧ ପରେ ଏମସିଡି ବୈଠକ ବାତିଲ କରାଯାଇଥିଲା। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଆଇନ ମୁତାବକ ମନୋନୀତ ସଦସ୍ୟ ଗୃହର ବୈଠକରେ ଭୋଟ୍ ଦେଇ ପାରିବେ ନାହିଁ।
ସୂଚନା ଯେ, ଡିସେମ୍ବରରେ ଅନୁଷ୍ଠିତ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୩୪ଟି ୱାର୍ଡ ଜିତି ବିଜେପିର ୧୫ ବର୍ଷର ଶାସନର ଅନ୍ତ ଘଟାଇଥିଲା । ଅନ୍ୟପକ୍ଷରେ, ୧୦୪ ୱାର୍ଡ ଜିତି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା । କଂଗ୍ରେସ କେବଳ ୯ଟି ଆସନରେ ସୀମିତ ରହିଥିଲା ।