ୱାନ ଷ୍ଟପ ସେଣ୍ଟର ପରିଦର୍ଶନ କଲେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ମେଡ଼ିକାଲ କଳେଜ ଓ ହସ୍ପିଟାଲ ପରିସରରେ ଥିବା ୱାନ୍ ଷ୍ଟପ୍ ସେଣ୍ଟରକୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ସମ୍ବିତ୍ କୁମାର ନାୟକ ଶନିବାର ପରିଦର୍ଶନ କରିଛନ୍ତି । ଏହି ଅବସରରେ ୱାନ୍ ଷ୍ଟପ୍ ସେଣ୍ଟରର ସମ୍ପାଦକ ଗୋପାଳ କୃଷ୍ଣ କର ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସେଣ୍ଟରର କାର୍ଯ୍ୟକ୍ରମ ଓ ଦାୟିତ୍ୱ କ’ଣ ସବୁ ରହିଛି ତାହା ବୁଝାଇବା ସହ ୱାନ୍ ଷ୍ଟପ୍ ସେଣ୍ଟର କିଭଳି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦକ୍ଷତାର ସହ କାର୍ଯ୍ୟ ତୁଲାଉଛି ସେ ସମ୍ପର୍କରେ ଅବଗତ କରାଇଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ନାୟକ ସେଣ୍ଟରର ଆଶ୍ରୟସ୍ଥଳୀରେ ରହୁଥିବା ନାବାଳିକାଙ୍କ ସହିତ ତାଙ୍କର ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟଧାରା ସହିତ ବିଶେଷ ଭାବରେ ଘରୋଇ ହିଂସା, ନାବାଳିକମାନଙ୍କ ପ୍ରତି ଯୌନ ନିର୍ଯାତନା, ବାଲ୍ୟ ବିବାହ ଏବଂ ନାବାଳିକାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର କାର୍ଯ୍ୟକ୍ରମ ବିଷୟରେ ବୁଝି ଉଚ୍ଚ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମକୁ ଭବିଷ୍ୟତରେ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।