ବିଶ୍ଵର ସର୍ବକନିଷ୍ଠ ବ୍ୟାଟର ଭାବେ ଦ୍ଵିଶତକ ଅର୍ଜନ କଲେ ଗିଲ୍, ଭାଙ୍ଗିଲେ ବହୁ ରେକର୍ଡ଼
ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଭାରତୀୟ ଓପନର ଶୁବମାନ ଗିଲଙ୍କ କମାଲ। ଚମତ୍କାର ପ୍ରଦର୍ଶନ ସହ ହାସଲ କଲେ ଦ୍ବିଶତକ। ଗିଲ୍ ହ୍ୟାଟ୍ରିକ ଛକା ମାରି ଦ୍ବିଶତକ ପୂରଣ କରିଛନ୍ତି । ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ଦିନିକିଆ ଇତିହାସରେ ୧୦ମ ଦ୍ଵିଶତକ ସହ ପଞ୍ଚମ ଭାରତୀୟ ଓ ବିଶ୍ବର ଅଷ୍ଟମ ବ୍ୟାଟର ଭାବେ ଦ୍ଵିଶତକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ଗିଲଙ୍କ ଏହା ତୃତୀୟ ଶତକ । ଏଥିସହ ଗିଲ୍ ଦଳର ସାଥୀ ଖେଳାଳି ଇଶାନ କିଷନଙ୍କ ରେକର୍ଡ ଭାଙ୍ଗିଛନ୍ତି।
ଗିଲଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେଓ୍ବାଗ୍, ରୋହିତ ଶର୍ମା (୩ ଥର), କ୍ରିସ୍ ଗେଲ୍ , ମାର୍ଟିନ ଗପ୍ଟିଲ, ଫଖର ଜମାନ୍ ଓ ଇଶାନ କିଶନ ଏହି ଫର୍ମାଟରେ ଦ୍ୱିଶତକ ହାସଲ କରିଛନ୍ତି। କିଶନ ଗତମାସରେ ବାଂଲାଦେଶ ବିପକ୍ଷରେ ଦ୍ରୁତତମ ଦ୍ବିଶତକ ହାସଲ କରିଥିଲେ । ଶୁଭମନଙ୍କ ବ୍ୟତୀତ ପ୍ରଥମ ଦିନିକିଆରେ ରୋହିତ ଶର୍ମା ୩୪ ରନ୍, ବିରାଟ କୋହଲି ୮, କିଶନ ୫, ସୂର୍ଯ୍ୟକୁମାର ଯାଦବ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮, ୱାଶିଂଟନ ସୁନ୍ଦର ୧୨, ଶାର୍ଦ୍ଦୁଲ ଠାକୁର ୩ ରନ୍ କରିଥିଲେ।
ଗିଲ୍ ଏହି ମ୍ୟାଚ୍ରେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇବା ସମୟରେ ତାଙ୍କର ବୟସ ୨୩ ବର୍ଷ ୧୩୨ ଦିନ ଥିଲା। ଅର୍ଥାତ ବିଶ୍ଵର ସର୍ବକନିଷ୍ଠ ବ୍ୟାଟର ଭାବେ ସେ ଦ୍ଵିଶତକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଇଶାନ ୨୦୨୨ ଡିସେମ୍ବର ୨୨ରେ ବାଂଲାଦେଶ ବିପକ୍ଷରେ ଦ୍ଵିଶତକ ହାସଲ କରିଥିଲେ। ସେହି ସମୟରେ ତାଙ୍କର ବୟସ ୨୪ ବର୍ଷ ୧୪୫ ଦିନ ହୋଇଥିଲା। ଇଶାନଙ୍କ ପୂର୍ବରୁ କମ ବୟସରେ ଦ୍ଵିଶତକ ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା। ରୋହିତ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୬ ବର୍ଷ ୧୮୬ ଦିନରେ ଦ୍ଵିଶତକୀୟ ପାଳି ଖେଳିଥିଲେ।
ଗିଲ୍ ଏହି ଇନିଂସ ଜରିଆରେ ବିରାଟ କୋହଲି ଏବଂ ଶିଖର ଧାଓ୍ଵନଙ୍କ ବଡ ରେକର୍ଡ ଧ୍ଵସ୍ତ କରିଛନ୍ତି। ଭାରତ ପକ୍ଷରୁ ଦିନିକିଆ ଅନ୍ତର୍ଜାତୀୟରେ ଦ୍ରୁତ ୧୦୦୦ ରନ ପୂରଣ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ଏବଂ ଶିଖର ଧାଓ୍ଵନଙ୍କ ନାମରେ ଥିଲା। ଦୁଇ ବ୍ୟାଟର ୨୪ଟି ଲେଖାଏଁ ଇନିଂସରୁ ଏହି ଉପଲବ୍ଧି ହାସଲ କରିଥିବା ବେଳେ ଗିଲ୍ ମାତ୍ର ୧୯ଟି ଇନିଂସରେ ଏହି ସଫଳତା ପାଇଛନ୍ତି। ତେବେ ଗିଲ୍ ପାକିସ୍ତାନର ଫକର ଜମାନଙ୍କ ବିଶ୍ଵ ରେକର୍ଡ ଭାଙ୍ଗିବାରେ ମାତ୍ର ଗୋଟିଏ ଇନିଂସ ପଛରେ ରହି ଯାଇଛନ୍ତି।
ଦିନିକିଆ ଅନ୍ତର୍ଜାତୀୟ ଫକର ଜମାନ ଦ୍ରୁତତମ ୧୦୦୦ ରନ ପୂରଣ କରିଛନ୍ତି। ସେ ୧୮ଟି ଇନିଂସରୁ ଏହି ରେକର୍ଡ କରିଛନ୍ତି। ତେବେ ଗିଲ୍ ପାକିସ୍ତାନର ଆଉ ଏକ ବ୍ୟାଟର ଇମାମ ଉଲ ହକ୍ଙ୍କ ରେକର୍ଡର ସମକକ୍ଷ କରିଛନ୍ତି, ଯିଏ ୧୯ଟି ଇନିଂସରେ ୧୦୦୦ ଦିନିକିଆ ରନ କରିଥିଲେ। ଗିଲ୍ ୩୨.୪ ଓଭରରେ ଚୌକା ଲଗାଇ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଗିଲ୍ ଭିଭି ରିଚାର୍ଡ୍ସ, କେଭିନ ପିଟରସନ, ଜୋନାଥନ ଟ୍ରଟ, କ୍ଵିଣ୍ଟନ ଡିକକ୍, ବାବର ଆଜମଙ୍କ ପରି ବ୍ୟାଟରଙ୍କୁ ପଛରେ ପକାଇଛନ୍ତି।