ନେପାଳ ବିମାନ ଦୁର୍ଘଟଣା, ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି
ମବାର ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ନୂଆଦିଲ୍ଲୀ : ନେପାଳ ୟେତି ଏୟାରଲାଇନ୍ସର ଏକ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଯାତ୍ରା କରୁଥିବା ୬୮ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସେହି ବିମାନରେ ୭୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ ଓ ସେମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିଲେ । ନେପାଳ ବେସାମରିକ ବିମାନ ଚଳାଚଳ ବିଭାଗ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ପାଗ ନିର୍ମଳ ଥିଲା । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଗତ ୩ ଦଶନ୍ଧି ମଧ୍ୟରେ ହିମାଳୟ ନିକଟବର୍ତୀ କ୍ଷୁଦ୍ର ଦେଶଭିତରେ ଏହା ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ।
ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ଶ୍ରୀ ଜୟଶଙ୍କର ସମବେଦନା ଜଣାଇଛନ୍ତି । ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ନେପାଳର ପୋଖରା ବିମାନବନ୍ଦରର ଘଟିଥିବା ଦୁର୍ଘଟଣା ପରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାତ୍ର ୨ ସପ୍ତାହ ତଳେ ଉଦଘାଟନ ହୋଇଥିବା ଏହି ବିମାନବନ୍ଦର ଚୀନ ସହାୟତାରେ ନିର୍ମାଣ ହୋଇଥିଲା ଓ ନେପାଳର ନୂଆ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହାକୁ ଉଦଘାଟନ କରିଥିଲେ । ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ୬୮ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ନେପାଳ ସରକାର ସୋମବାର ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାର କାରଣ ଖୋଜିବା ପାଇଁ ନେପାଳ ସରକାର ଏକ ୫ ଜଣିଆ କମିଟି ଗଠନ କରିଛନ୍ତି । ଏହି ଦୁର୍ଘଟଣାରେ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ୨ଟି ହେଲ୍ପଲାଇନ ନମ୍ବର ଜାରି କରିଛି ।