ଅଭାବନୀୟ ଘଟଣା ! କବାଟ ବନ୍ଦ କରି ଶୋଇଥିବା ପୁଅକୁ ପୋଡ଼ି ଦେଲା ବାପା
ଔପଦା : ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳ ରାଇରାମଚନ୍ଦ୍ରପୁର ପଞ୍ଚାୟତ ଟିପୁରା ଗ୍ରାମରେ ଅଭାବନୀୟ ଘଟଣା । କବାଟ ବନ୍ଦ କରି ଶୋଇଥିବା ପୁଅକୁ ନିଆଁ ଲଗାଇ ପୋଡ଼ି ଦେଲା ବାପା । ରାତିରେ ପୁଅ କବାଟ କିଳି ଶୋଇଥିବା ଅବସ୍ଥାରେ ବାହାର ପଟୁ ଚାବି ଦେଇ ଝରକା ଓ କବାଟ ଫାଙ୍କରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ବାପା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ପୋଲିସ ବାପାକୁ ଥାନାକୁ ଆଣି ତଦନ୍ତ ଜାରି ରଖିଥିବାର ଜଣାପଡ଼ିଛି ।
ସୂଚନା ଯେ, କିଛି ଦିନ ପୂର୍ବେ ଗ୍ରାମର ଗଣେଶ ପାତ୍ରଙ୍କ ପୁଅ ଦୀପକ କୁମାର ପାତ୍ର ଘରୋଇ କଳିକୁ ନେଇ ଔପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ପୋଲିସ ପରିବାର ଲୋକଙ୍କୁ ଥାନାକୁ ଡାକି ସମାଧାନ କରିଥିଲେ । ପୁଣି କିଛି ଦିନ ପରେ ବାପା ଗଣେଶ ଘରୋଇ କଳିକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପଦକ୍ଷେପ ନେବା ପୂର୍ବରୁ ଗତ ରବିବାର ରାତିରେ ପୁଅ ଦୀପକ କବାଟ ବନ୍ଦ କରି ଶୋଇଥିବା ଅବସ୍ଥାରେ ବାପା ଗଣେଶ ବାହାର ପଟୁ କବାଟ ପାଖରେ ପେଟ୍ରୋଲ ଢାଳି ଓ ଝରକା ବାଟେ ପକାଇ ନିଆଁ ଲଗାଇଦେଇଥିଲେ । ପୁଅର ଚିତ୍କାର ଶୁଣି ପରିବାର ଲୋକେ ଓ ସ୍ଥାନୀୟବାସୀ କବାଟ ଭାଙ୍ଗି ଅଧା ପୋଡ଼ା ଅବସ୍ଥାରେ ଦୀପକକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଖଇରା ଓ ପରେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ପୋଲିସ ବାପା ଗଣେଶ ପାତ୍ରକୁ ଥାନାରେ ଅଟକ ରଖିଥିବା ବେଳେ ଲିଖିତ ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ ହୋଇପାରିନଥିବା ଜଣାଯାଇଛି ।