ସ୍ନାନ ଓ ଦାନର ପର୍ବ ମକର ସଂକ୍ରାନ୍ତି
ପୁରାଣ ଅନୁସାରେ ମକର ସଂକ୍ରାନ୍ତି ହେଉଛି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଗଣେଶ, ଆଦ୍ୟଶକ୍ତି ତଥା ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଆରାଧନା ଓ ଉପାସନାର ପର୍ବ । ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିରେ ଶୁଭ ମୁହୂର୍ତ୍ତ ଉପନୀତ ହୁଏ । ଏଥିପାଇଁ ମହାଭାରତର ପିତାମହ ଭୀଷ୍ମ ଏହି ଦିନ ଇଚ୍ଛାମୃତ୍ୟୁ କରିଥିଲେ । ଏହି ଦିନ ଶ୍ରଦ୍ଧା ଓ ଭକ୍ତ ପୂର୍ବକ ସ୍ନାନ, ଦାନ ସହ ଦେବାର୍ଚ୍ଚନା କଲେ ଶରୀରକୁ ଶକ୍ତି ମିଳେ । ଆତ୍ମା ଶୁଦ୍ଧି ହୁଏ । ସଂକଳ୍ପର ଶକ୍ତି ବଢେ଼ ଓ ଜ୍ଞାନର ବିକାଶ ହୁଏ ।
ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଗତି ପରିବର୍ତ୍ତନ ପ୍ରତ୍ୟେକ ରାଶିକୁ ହୁଏ । ଏଣୁ ରାଶି ଅନୁଯାୟୀ ସଂକ୍ରାନ୍ତିର ନାମକରଣ ହୋଇଛି । ସୂର୍ଯ୍ୟ ଉତ୍ତରାୟଣ ଗତିରେ ମକର ରାଶିରେ ପ୍ରବେଶ କରିବା ଦିନକୁ ମକର ସଂକ୍ରାନ୍ତି କୁହାଯାଏ । ଏହା ବ୍ୟତୀତ ଏହି ଦିନକୁ ଦେବଦାନ ପର୍ବ ମଧ୍ୟ କୁହାଯାଏ । ଏଥିପାଇଁ ଏହି ସଂକ୍ରାନ୍ତି ଅନ୍ୟ ସଂକ୍ରାନ୍ତିଠୁ ଅନ୍ୟତମ ଓ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ମହାପୂଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି । ଅନ୍ୟାନ୍ୟ ନଦୀରେ ପ୍ରାତଃରୁ ବୁଡ଼ ପକାଇ ଦେବ ଦର୍ଶନରେ ମଧ୍ୟ ପାପ କ୍ଷୟ ହୋଇଥାଏ । ସ୍ନାନ ଓ ଦେବ ଦର୍ଶନ ପରେ ଶକ୍ତି ମୁତାବକ ଶ୍ରଦ୍ଧା ପୂର୍ବକ ଦାନ କଲେ ଭଗବାନଙ୍କ ଅଶେଷ କୃପା ପ୍ରାପ୍ତ ହୁଏ । ଏହି ଦିନ ମଧ୍ୟ ଭଗବାନଙ୍କୁ ଧ୍ୟାନ ଓ ଜପ କରିବା ଦ୍ୱାରା କୋଟି ଜନ୍ମର ପାପରୁ ମୁକ୍ତି ମିଳେ ।
ମକର ରାଶିର ସ୍ୱାମୀ ଶନିଦେବ । ପୁରାଣାନୁସାରେ ସୂର୍ଯ୍ୟଦେବ ତାଙ୍କ ପୁତ୍ର ଶନିଙ୍କ ରାଶିରେ ପ୍ରବେଶ କରନ୍ତି । ଏଥିପାଇଁ ଏହି ଦିନକୁ ପିତାପୁତ୍ରଙ୍କ ମିଳନ ଦିନ ଭାବେ ଧରାଯାଏ । ଏହି ଦିନ ପୁତ୍ର ପିତାଙ୍କୁ ତିଳକ ଲଗାଇ ସ୍ୱାଗତ କରିବାର ପରମ୍ପରା ମଧ୍ୟ ରହିଛି ।
ଭଗବାନ ବିଷ୍ଣୁ ସମସ୍ତ ଅସୁରଙ୍କୁ ବଧ କରି ସେମାନଙ୍କ ମସ୍ତକକୁ ମନ୍ଦାର ପର୍ବତରେ ପୋତି ଦେଇ ଏହି ଦିନ ଯୁଦ୍ଧ ସମାପ୍ତି ଘୋଷଣା କରିଥିଲେ । ସେଥିପାଇଁ ମକରସଂକ୍ରାନ୍ତିକୁ ସମସ୍ତ କୁକର୍ମ ଉପରେ ବିଜୟ ପ୍ରାପ୍ତି ପର୍ବ ଭାବରେ ପାଳନ କରାଯାଏ ।
ପୁରଣ ଅନୁସାରେ ରାଜା ଭଗିରଥୀଙ୍କ କଠୋର ତର୍ପଣ ସ୍ୱୀକାର କରି ଗଙ୍ଗାଦେବୀ ମକର ସଂକ୍ରାନ୍ତି ଦିନ ଧରିତ୍ରୀ ଆସି ସମୁଦ୍ରରେ ମିଶିଥିଲେ । ସେଥିପାଇଁ ଏହି ଦିନ ଗଙ୍ଗା ସାଗରରେ ମେଳା ପାଳନ ହୁଏ । ଏହି ଦିନ ପବିତ୍ର ଗଙ୍ଗୀନଦୀର ସ୍ପର୍ଶରେ ରାଜା ଭଗିରଥୀଙ୍କ ପୂର୍ବଜଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥିଲା । ଏଣୁ ଏହି ଦିନ ଗଙ୍ଗାନଦୀରେ ମକର ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବାର ବିଶ୍ୱାସ ରହିଛି । ଅପରପକ୍ଷରେ ଏହି ଦିନଠାରୁ ଶୀତ ଟିକେ କମି ଗରମ ବଢେ଼ । ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୃଢ଼ ଆବଶ୍ୟକ । ଏଣୁ ଏହି ଦିନ ବିଭିନ୍ନ ପବିତ୍ର ନଦୀମାନଙ୍କରେ ମକର ବୁଡ଼ ପକାଇବାର ବିଧି ରହିଛି ।
ବିଷ୍ଣୁ ଧର୍ମଶାସ୍ତ୍ର ଅନୁସାରେ ପିତୃଦେବଙ୍କ ଆତ୍ମାଶାନ୍ତି ପାଇଁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ତଥା ସର୍ବକଲ୍ୟାଣ ପାଇଁ ରାଶି ଏକ ପ୍ରୟୋଗ ପୁଣ୍ୟାତ୍ମକ ଏବଂ ଫଳଦାୟକ ବୀଜ । ସେଥିପାଇଁ ଏହି ଦିନ ରାଶି ତେଲ ଶରୀରରେ ଲଗାଇବା, ରାଶି ମିଶ୍ରିତ ଜଳରେ ସ୍ନାନ କରିବା, ରାଶି ଦାନ କରିବା ଏବଂ ରାଶିରେ ପ୍ରସ୍ତୁତ ଖାଦ୍ୟ ଖାଇବା ଅତ୍ୟନ୍ତ ଶୁଭଦାୟକ ।
ସୂର୍ଯ୍ୟ ଉତ୍ତରାୟଣ ହୋଇସାରିବା ପରେ ବ୍ରହ୍ମ ମୁହୂର୍ତ୍ତ ଉପାସନାର ପୁଣ୍ୟକାଳ ଆରମ୍ଭ ହୋଇଯାଏ । ଏହାକୁ ବିଦ୍ୟାକାଳ କୁହାଯିବା ସହ ସିଦ୍ଧିକାଳ ମଧ୍ୟ କୁହାଯାଏ । ଏହି କାଳରେ ଦେବୀ ପ୍ରତିଷ୍ଠା, ଗୃହ ନିର୍ମାଣ ଯଞ୍ଚକର୍ମ ଆଦି କରାଯାଇଥାଏ ।
ଏହି ଦିନ ସୂର୍ଯ୍ୟଙ୍କ କିରଣର ପ୍ରଭାବ ପ୍ରାୟତଃ ଗଙ୍ଗା ଯମୁନା ସଙ୍ଗମ ସ୍ଥଳରେ ପଡ଼ିଥାଏ । ଏହି ଭୌଗୋଳିକ ସ୍ଥିତି କାରଣରୁ ମାଘ ମେଳା, ମକର ସଂକ୍ରାନ୍ତି, ପୂର୍ଣ୍ଣ କୁମ୍ଭ ତଥା ଅର୍ଦ୍ଧ କୁମ୍ଭର ବିଶେଷ ଉତ୍ସବ ଆୟୋଜନ ହୋଇଥାଏ ।
କୃଷି ଭିତ୍ତିକ ପର୍ବ :
ମକର ସଂକ୍ରାନ୍ତି କୃଷି ଭିତ୍ତିକ ଏକ ମୁଖ୍ୟ ପର୍ବ । ବହୁ ପରିଶ୍ରମ ପରେ ଖଳାକୁ ଆସନ୍ତି ଧନଲକ୍ଷ୍ମୀ । କୃଷକ ତା ଫସଲକୁ ମକର ଚାଉଳ ମାଧ୍ୟମରେ ପ୍ରଥମେ ପ୍ରଭୁଙ୍କୁ ସମର୍ପଣ କରେ । ନୂଆ ଚାଉଳ, ନୂଆ ଗୁଡ଼, ପାଚିଲା କଦଳୀ, ଛେନା, ଖଣ୍ଡ ଆଖୁ, କର୍ପୂର ଏବଂ ଜାଇଫଳ ଇତ୍ୟାଦିରେ ମକର ଚାଉଳ ପ୍ରସ୍ତୁତ କରେ । ଏହାକୁ ଚଉରାମୂଳରେ, ଖଳାବାଡ଼ିରେ, ଘରେ ଠାକୁରଙ୍କୁ ଭୋଗ ଲଗାଏ । ବୈଜ୍ଞାନିକ ଦୃଷ୍ଟିରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିରେ ହଜମ ଶକ୍ତି ବୃଦ୍ଧି ହୁଏ । ଏଣୁ ଏହିଦିନ ଲୋକେ ମକର ଚାଉଳ ଭୋଗ କରି ଖାଆନ୍ତି ।
ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି :
ମକର ସଂକ୍ରାନ୍ତିରେ ଆମ ଓଡ଼ିଶା ସହ ଭାରତର ବିଭିନ୍ନ ରାଜ୍ୟରେ ଏହି ଦିନ ଗୁଡ଼ି ଉଡ଼ା ପ୍ରତିଯୋଗିତା ପ୍ରାଧାନ୍ୟ ଦେଇଥାନ୍ତି । ବିଜ୍ଞାନ କାରଣ ଅନୁଯାୟୀ ଶୀତ ଦିନେ ଆମ ଶରୀର ଥଣ୍ଡାର ପ୍ରକୋପରେ କଫ, କାଶ ଓ ତ୍ୱଚା ରୋଗରେ ପୀଡ଼ିତ ଥାଏ । ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥାଏ । ସୂର୍ଯ୍ୟଙ୍କର ସିଧା କିରଣ ଆମ ଶରୀର ଉପରେ ପଡେ଼ । ଯାହା ଶରୀରରୁ ବିଭିନ୍ନ ରୋଗକୁ ଦୂର କରେ । ଗୁଡ଼ି ଉଡ଼ାଇବା ସମୟରେ ବ୍ୟକ୍ତିର ପୁରା ଶରୀର ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ି ଶରୀରକୁ ରୋଗ ମୁକ୍ତ କରେ ।