ଆଜି ଭାଗ୍ୟ ପରୀକ୍ଷା, ପ୍ରଧାନମନ୍ତ୍ରୀ ପଦରୁ ହଟିବେ ନେତନ୍ୟାହୁ !
ଇସ୍ରାଏଲ : ୧୨ ବର୍ଷ ଧରି ଶାସନ ଗାଦିରେ ରହିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କର ଆଜି ଭାଗ୍ୟ ପରୀକ୍ଷା ହେବ । ଇସ୍ରାଏଲ ସଂସଦରେ ରବିବାର ନେତନ୍ୟାହୁଙ୍କୁ ସରକାରରୁ ବିଚ୍ୟୁତ କରିବା ପାଇଁ ମତଦାନ ହେବ । ନେତନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧି ଦଳ ମହାମେଣ୍ଟ କରିଛନ୍ତି । ଯଦି ମହାମେଣ୍ଟ ନିଜ ପ୍ରୟାସରେ ସଫଳ ହୁଏ ତେବେ ଆଜି ହିଁ ନୂଆ ସରକାର ଗଠନ ହେବ । ବିରୋଧୀ ଦକ୍ଷିଣପନ୍ଥୀ ୟାମିନା ପାର୍ଟିର ନେତା ନଫତାଲୀ ବେନେଟ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ସେ ୨୦୨୩ ଯାଏଁ ଏହି ପଦରେ ରହିବେ ।
ବୁଝାମଣା ଅନୁସାରେ, ୨୦୨୩ ପରେ ନଫତାଲୀଙ୍କ ସହ ମେଣ୍ଟ କରିଥିବା ବିରୋଧି ଦଳର ଆଉ ଜଣେ ନେତା ୟ୍ୟାର୍ ଲାପିଡ୍ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ । ୟ୍ୟାର୍ ୨୦୨୫ ଯାଏଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ରହିବେ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି । ତେବେ ଇସ୍ରାଏଲରେ ୨୦୧୯ରୁ ଏବେସୁଦ୍ଧା ୪ ଥର ସାଧାରଣ ନିର୍ମାଚନ ହୋଇସାରିଛି । ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁସାରେ, ସବୁକିଛି ଠିକ୍ ରହିଲେ ରବିବାର ସନ୍ଧ୍ୟାରେ ଇସ୍ରାଏଲକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବ । ବେଞ୍ଜାମିନ୍ ହେଉଛନ୍ତି ସର୍ବାଧିକ ସମୟ ଧରି ଶାସକ ହୋଇ ରହିଥିବା ନେତା । ସେ ଦୀର୍ଘବର୍ଷ ଧରି ଦେଶରେ ନିଜର ରାଜନୈତିକ ଦବଦବା କାଏମ ରଖିଥିଲେ । ସେ ସଂସଦରେ ପରାସ୍ତ ହେଲେ ମଧ୍ୟ ଦକ୍ଷିଣପନ୍ଥୀ ଲିକୁଡ୍ ପାର୍ଟିର ମୁଖ୍ୟ ହୋଇ ରହିବେ । ଇସ୍ରାଏଲରେ ରାଜନୈତିକ ଗତିବିଧି ଜୋର୍ ହେବା ପରେ ନେତନ୍ୟାହୁ ଶପଥ ନେଇଥିଲେ ଯେ, ସେ ନଫତାଲୀଙ୍କ ନେତୃତ୍ୱାଧୀନ ସରକାର ହେଲେ ଅତିଶୀଘ୍ର ତାକୁ ଭାଙ୍ଗି ଦେବେ । ନେତନ୍ୟାହୁଙ୍କ ଲିକୁଡ୍ ପାର୍ଟି ପାଖରେ ସର୍ବାଧିକ ସଦସ୍ୟ ଥିଲେ ମଧ୍ୟ ସଂସଦରେ ୬୧ ଜଣ ସଦସ୍ୟଙ୍କ ସମର୍ଥନ ନାହିଁ । ଲିକୁଡ୍ ପାର୍ଟି ମାର୍ଚରେ ହୋଇଥିବା ସାଧାରଣ ନିର୍ବାଚନରେ ୩୦ଟି ଆସନ ଜିତିଥିଲା । ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନଫତଲୀ ବେନେଟ୍ ଆମେରିକୀୟ ପ୍ରବାସୀ ମାତା-ପିତାଙ୍କ ସନ୍ତାନ ଅଟନ୍ତି । ସେ ଇସ୍ରାଏଲ ସେନାର କମାଣ୍ଡୋ ରହିସାରିଛନ୍ତି । ସେ ଜଣେ କୋଟିପତି ହୋଇଥିବା ବେଳେ ଡିଜିଟାଲ ଦୁନିଆରେ ସଫଳ ମଧ୍ୟ । ସେ ମାର୍ଚ୍ଚ ୧୯୭୨ରେ ହାଇଫା ସହରରେ ଜନ୍ମ ଲାଭ କରିଥିଲେ । ସେ ପାଲେଷ୍ଟାଇନ୍ ନାଗରିକଙ୍କ ପ୍ରତି ଅଧିକ କଠୋର ହେବେ ବୋଲି ଅନୁମାନ କରାଯାଉଛି ।