୨୦୨୪ ଜାନୁଆରୀ ୧ରେ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାମ ମନ୍ଦିର
ତ୍ରିପୁରା: ୨୦୨୪ ଜାନୁଆରୀ ୧ରେ ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ । ଏନେଇ ତ୍ରିପୁରା ଗସ୍ତରେ ଥିବା ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ନିର୍ବାଚନୀ ରାଜ୍ୟ ତ୍ରିୁପରାରେ ବିଶ୍ୱାସ ଯାତ୍ରା ଅନ୍ତର୍ଗତ ଏକ ରାଲଚୁ ସମ୍ବୋଧନ କରି ରାମ ମନ୍ଦିର ସମ୍ପର୍କରେ ଶାହ କହିଛନ୍ତି ।
୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ । ଆସନ୍ତାବର୍ଷ ଜାନୁଆରୀ ୧ରେ ରାମ ମନ୍ଦିର ଖୋଲିବ ବୋଲି ଗୁରୁବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତ୍ରିପୁରାରେ ଘୋଷଣା କରିଛନ୍ତି । ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ଦିନରେ ରାମ ମନ୍ଦିର ଖୋଲିବା ନିଶ୍ଚିତ ଭାବେ ବିଜେପି ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ । ଏଥିସହ ଦଳ କ୍ରମାଗତ ତୃତୀୟ ଥର କେନ୍ଦ୍ରରେ କ୍ଷମତା ଦଖଲ କରିବାରେ ରାମ ମନ୍ଦିର ଖୋଲିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ରଖିଛନ୍ତି ।
ଅମିତ ଶାହ କହିଛନ୍ତି, “କଂଗ୍ରେସ ରାମ ମନ୍ଦିର ନିର୍ମାଣ କାମକୁ କୋର୍ଟରେ ଲମ୍ବେଇ ଚାଲିଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ କାମ ଆରମ୍ଭ କାରିଥିଲେ । ରାମ ମନ୍ଦିର କାମ ଜୋରସୋରରେ ଚାଲିଛି । ୨୦୨୪ ଜାନୁଆରୀ ୧ ସୁଦ୍ଧା ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବ । ନିର୍ମାଣ ସରିବା ପରେ ଜାନୁଆରୀ ୧ ତାରିଖ ୨୦୨୪ରେ ଏହାକୁ ଖୋଲା ଯିବ ।”
ତ୍ରିପୁରାରେ ଗୋଟିଏ ଜନସଭାକୁ ସମ୍ବୋଧନ କରି ଶାହ କହିଛନ୍ତି, “ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ନିର୍ମାଣ ହେବା ଦରକାର କି ନୁହେଁ ଯେବେଠାରୁ ବାବର ଏହାକୁ ଭାଙ୍ଗି ଥିଲା ସେବେଠୁ ଓ ଯେବେଠୁ ଦେଶ ସ୍ୱାଧୀନତା ହୋଇଥିଲା ସେବେଠୁ, କଂଗ୍ରେସ ଦଳ କୋର୍ଟରେ ଏହି ମାମଲାକୁ ଗଡ଼ାଇ ଚାଲିଥିଲା । ଜିଲ୍ଲା କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମାମଲା ଗଡ଼ି ଚାଲିଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମୋଦିଜୀ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲେ । ରାୟ ଆସିବା କ୍ଷଣି ରାମଲଲାଙ୍କ ମନ୍ଦିର ପାଇଁ ଭୂମି ପୂଜନ ହୋଇଥିଲା ଓ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଁ ବିଜେପିର ଅଧ୍ୟକ୍ଷ ଥିଲି ଓ ରାହୁଲ ଗାନ୍ଧି କଂଗ୍ରେସର ସଭାପତି ଥିଲା । ରାହୁଲ ଗାନ୍ଧି ଆସୁଥିଲେ ଓ କହୁଥିଲେ ଯେ ମନ୍ଦିର ସେଠାରୁ କରିବୁ । କିନ୍ତୁ ତିଥି କହିବୁ ନାହିଁ ବୋଲି ମତ ଦେଇ ଆମକୁ ତାଚ୍ଛଲ୍ୟ କରୁଥିଲେ । ଏବେ ରାହୁଲ ଗାନ୍ଧି କାନ ଖୋଲି ଶୁଣି ନିଅନ୍ତୁ । ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖ ବେଳକୁ ଅଯୋଧ୍ୟାରେ ଆକାଶ ଚୁମ୍ବୀ ରାମ ମନ୍ଦିର ନିର୍ମାଣ କାମ ଶେଷ ହୋଇ ସାରିଥିବ ।”