ଆଜି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ
- ୟୁଜି ଓ ପିଜି ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ନେଇ ନିଆଯିବ ନିଷ୍ପତ୍ତି
ଭୁବନେଶ୍ୱର : ମହାମାରୀ କରୋନା ଯୋଗୁଁ ବିଶେଷ କରି ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ସ୍କୁଲଠୁ ଆରମ୍ଭ କରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ପାଠପଢ଼ା ବନ୍ଦ ରହିଥିବା ବେଳେ କେତେକାଂଶ ଶିକ୍ଷାନୁଷ୍ଠାନରେ ଅନଲାଇନ୍ କ୍ଲାସ୍ ଜାରି ରହିଛି । ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି ପରେ ସାବିତ୍ରୀ ଓ ରଜ ଛୁଟି ଆଳ କରି ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଅନଲାଇନ୍ କ୍ଲାସ୍ ନେବା ମଧ୍ୟ ବନ୍ଦ କରି ଦେଇଛନ୍ତି । ତେବେ କରୋନା ଭଳି ଉଦବେଗଜନକ ପରିସ୍ଥିତି ମଧ୍ୟରେ କିଭଳି ପାଠପଢ଼ା ଜାରି ରହିବ, ସେ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି ।
ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର (ପିଜି)ର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଲକ୍ ଡାଉନ ବେଳେ ପାଠପଢ଼ା ସହିତ ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ । ସେହିପରି ଯୁକ୍ତ୨ ଫଳ ବାହାରିବା ପରେ କିଭଳି ସୁରୁଖୁରୁ ଭାବେ ଯୁକ୍ତ ତିନି ନାମଲେଖା ଆରମ୍ଭ ହେବ । ଏ ସମ୍ପର୍କରେ ମଧ୍ୟ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ଉଭୟ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷମାନଙ୍କ ମତ ନିଆଯିବ । ଏହାପରେ ବିଭାଗ ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ । ତେବେ କୋଭିଡ୍ ପାଇଁ ଭର୍ଚୁଆଲ୍ ମିଟିଂରେ ଆଲୋଚନା କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।