୯/୧୧ ଆତଙ୍କବାଦି ଆକ୍ରମଣକୁ ୨୦ ବର୍ଷ : ମୃତକଙ୍କ ସ୍ମୃତିଚାରଣ କଲେ ରାଷ୍ଟ୍ରପତି ବାଇଡେନ
ୱାସିଂଟନ : ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି। ବିଶେଷକରି ଏହି ଆତଙ୍କବାଦୀ ଆକ୍ରମଣ ‘୯/୧୧ ଟେରର୍ ଆଟାକ୍’ ଭାବେ ଜଣାଶୁଣା। ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରି ଅଲ-କାଏଦା ଆତଙ୍କବାଦୀ ସଂଗଠନ ପକ୍ଷରୁ ଆମେରିକା ଉପରେ କରାଯାଇଥିବା ଏହି ଆକ୍ରମଣ ଏବେ ବି ମନେପଡ଼ିଲେ, ଆମେରିକାବାସୀଙ୍କ ଲୋମ ଟାଙ୍କୁରି ଉଠେ। ଆତଙ୍କବାଦୀମାନେ ୪ଟି ଉଡ଼ା ଜାହାଜକୁ ହାଇଜ୍ୟାକ୍ କରିନେଇ ଏହି ଆକ୍ରମଣ ଘଟାଇଥିଲେ। ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବିମାନକୁ ରକେଟ ଭଳି ବ୍ୟବହାର କରି ଓ୍ବାଲ୍ଡ୍ ଟ୍ରେଡ୍ ଟାଓ୍ବାର ଏବଂ ପେଣ୍ଟାଗନକୁ ଟାର୍ଗେଟ୍ କରିଥିଲେ। ୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ଆତଙ୍କବାଦୀମାନେ ଆମେରିକାରେ ଥିବା ବିଶ୍ୱ ବାଣିଜ୍ୟ ସଂଗଠନ, ପେଣ୍ଟାଗନ୍ ଓ ପେନ୍ସିଲବେନିଆ ଟାୱାର ଉପରେ ଏକାବେଳକେ ଆକ୍ରମଣ କରିଥିଲେ। ଗୋଟିଏ ପରେ ଗୋଟିଏ ଉଡ଼ାଜାହାଜ ଏହି ନବଶ୍ଚମ୍ବୀ ଅଟ୍ଟାଳିକା ୩ଟିରେ ବାଡ଼େଇ ହୋଇଥିଲା। ଆମେରିକା ସମେତ ବିଶ୍ୱବ୍ୟାପୀ ପ୍ରାୟ ସବୁ ଦେଶର ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ଏହି ଦୃଶ୍ୟ ଦେଖି ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ତେବେ ଏହି ଆକ୍ରମଣ ଘଟାଇବା ପାଇଁ ଅଲ୍ -କାଏଦାର ମୁଖ୍ୟ ଓସାମା ବିନ୍ ଲାଦେନ୍ ଏଥିପାଇଁ ୧୯୮୮ରେ ଷଡ଼ଯନ୍ତ୍ର ରଚିଥିଲା। ଆମେରିକାକୁ ସଂପୂର୍ଣ୍ଣ ବର୍ ବାଦ କରିଦେବା ପାଇଁ ଲାଦେନ୍ ଅଲ୍ କାଏଦା ନାମରେ ଆତଙ୍କବାଦୀ ଗୋଷ୍ଠୀ ଗଢ଼ିଥିଲା। ଏହି ବୈଠକରେ ହିଁ ଲାଦେନ୍ ନିଜ ଆତଙ୍କବାଦୀ ସଂଗଠନର ନାମ ଔପଚାରିକ ଭାବେ ଅଲ୍ -କାଏଦା ରଖିଥିଲା। ଶେଷରେ ଲାଦେନ୍ ର ଯୋଜନା କ୍ରମେ ୪ଟି ଉଡ଼ାଜାହାଜକୁ ହାଇଜ୍ୟାକ୍ କରି ଏହି ଗୋଷ୍ଠୀର ୧୯ ଜଣ ସଦସ୍ୟ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଦୁଇଟି ଉଡ଼ାଜାହାଜ ଦ୍ୱାରା ଦୁଇଟି ଟାଓ୍ଵାର ଧୂଳିସାତ୍ ହୋଇଥିଲା।୯/୧୧ ଘଟଣା ପରେ ଆମେରିକା ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କଲା। ଷଡଯନ୍ତ୍ରକାରୀଙ୍କୁ ଧରିବା ପାଇଁ ଯୁଦ୍ଧ ହୋଇଥିଲା । ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା । ଆଫଗାନିସ୍ତାନରେ ସୈନ୍ୟ ମୁତୟନ କରିଥିଲା ଆମେରିକା । ଶେଷରେ ୨୦୧୧ରେ ଆମେରିକା ଆକ୍ରମଣର ମାଷ୍ଟରମାଇଣ୍ଡ ଲାଦେନ୍ କୁ ପାକିସ୍ତାନରେ ହତ୍ୟା କରିଥିଲା ଆମେରିକା ।
ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉକ୍ତ ଆକ୍ରମଣରେ ପ୍ରାଣ ହରାଇଥିବା ୨୯୭୭ ଜଣ ଲୋକଙ୍କର ସ୍ମୃତିଚାରଣ କରିଛନ୍ତି। ପ୍ରାୟ ୯୦ରୁ ଅଧିକ ରାଷ୍ଟ୍ରର ନାଗରିକ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ଏଥିରେ ହଜାରରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ। ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜାରି କରି ବାଇଡେନ କହିଛନ୍ତି ଯେ ଆମେରିକା ଏହି ବ୍ୟକ୍ତିମାନଙ୍କର ସ୍ମୃତିଚାରଣ କରିବା ସହିତ ସେମାନଙ୍କ ପରିବାରବର୍ଗ ସହିତ ସମଦୁଃଖୀ ହୋଇଛି। ବାଇଡେନ ଆଉ ମଧ୍ୟ କହିଛନ୍ତି ଯେ ସବୁଠାରୁ କଷ୍ଟକର ସମୟରେ ଏକତା କିଭଳି ସବୁଠାରୁ ବଡ ସାମର୍ଥ୍ୟ ହୋଇଛି ତାହା ଏହି ବିପଦ ପ୍ରତିପାଦିତ କରିଛି। ଉକ୍ତ ଆକ୍ରମଣ ପରେ ନିଜ ଜୀବନକୁ ବାଜି ଲଗାଇ ଆତଙ୍କ ମୂଳୋତ୍ପାଟନ ଅଭିଯାନରେ ସାମିଲ ହୋଇଥିବା, ଏପରିକି ନିଜ ଜୀବନ ଦେଇଥିବା ଆମେରିକୀୟ ସୈନ୍ୟଙ୍କ ବୀରତ୍ୱକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏକ ବାର୍ତ୍ତାରେ ବାଇଡେନ କହିଛନ୍ତି, ଉକ୍ତ ସ୍ଥାନରୁ ମୃତାହତଙ୍କୁ ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମ କର୍ମଚାରୀ, ପୁଲିସ ଅଧିକାରୀ, ଇଏମଟି ଏବଂ ନିର୍ମାଣ ଶ୍ରମିକ, ଡାକ୍ତର, ନର୍ସ, ବିଭିନ୍ନ ଧର୍ମର ନେତୃସ୍ଥାନୀୟ ବ୍ୟକ୍ତି, ସେବା ଯୋଗାଣକାରୀ ଏବଂ ଅନ୍ୟ ସମସ୍ତଙ୍କୁ ଆମେରିକା ସମ୍ମାନ ପ୍ରଦର୍ଶନ କରୁଛି। ସୂଚନାଯୋଗ୍ୟ ଯେ ଏହି ଅବସରରେ ଆତଙ୍କି ଆକ୍ରମଣ ହୋଇଥିବା ନ୍ୟୁୟର୍କ, ପେନସିଲଭାନିଆ ଏବଂ ଭର୍ଜିନିଆ ଆଦି ସ୍ଥାନକୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ଗସ୍ତକରି ସେଠାରେ ଭାବପୂଣ୍ଣଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।