ବାଲେଶ୍ୱର : ବନ୍ଧୁକ ଓ ଭୁଜାଲି ଦେଖାଇ ୮୦ ହଜାର ଟଙ୍କା ଲୁଟ୍
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର-ନୀଳଗିରି ରାସ୍ତା ମାଣତ୍ରୀ ଗ୍ରାମ ନିକଟରେ ଆଜିି ମଧ୍ୟାହ୍ନରେ ଜଣେ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଆଦାୟ ଟଙ୍କା ଧରି ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ରାସ୍ତାରେ ଅଟକାଇ ବନ୍ଧୁକ ଏବଂ ଭୁଜାଲି ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ।
ସୋରର ବନ୍ଧନ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ସନ୍ଦୀପ କୁମାର ଜେନା ସନ୍ତରାଗଡ଼ିଆ ଚିନ୍ତାମଣିପୁର ସମେତ ବିଭିନ୍ନ ଗ୍ରାମରୁ ଋଣ ଟଙ୍କା ଆଦାୟ କରି ବାଇକ୍ରେ ଫେରୁଥିବା ସମୟରେ ମାଣତ୍ରୀ ଗ୍ରାମ ପରେ ନିଛାଟିଆ ଜାଗାରେ ଜଗି ବସିଥିବା ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ଏହାପରେ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଭୟଭୀତ କରିବା ସହିତ ଟଙ୍କା ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଏଥିରେ ଭୟଭୀତ ହୋଇ କର୍ମଚାରୀ ସନ୍ଦୀପ ୮୦ ହଜାର ଟଙ୍କା, ଟ୍ୟାବ୍ଲେଟ୍ ମୋବାଇଲ ଏବଂ ଦରକାରୀ କାଗଜପତ୍ର ଥିବା ବ୍ୟାଗଟିକୁ ଦେଇଦେଇଥିଲେ । ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ସୋର ଆଡ଼କୁ ପଳାଇ ଆସିଥିଲେ । ସନ୍ଦୀପ ସୋରର କାର୍ଯ୍ୟାଳୟକୁ ଖବର ଦେବା ପରେ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀମାନେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆଇଆଇସି ସୁଜାତା ଖମାରୀ, ଏଏସ୍ଆଇ ପ୍ରଦୀପ ମହାନ୍ତି ଓ ପ୍ରତାପ କାଲୋ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ଆଡ଼େ ଛାନ୍ଭିନ୍ କରିଛନ୍ତି ।