ରାଜ୍ୟରେ ଖୁବ୍ଶୀଘ୍ର ପୂରଣ ହେବ ୮ ହଜାର ଡାକ୍ତର ପଦବୀ
ଭୁବନେଶ୍ୱର: ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯତ୍ପରୋନାସ୍ତି ଉଦ୍ୟମ କରୁଛି । କିନ୍ତୁ ସବୁଠାରୁ ବଡ଼ ସମସ୍ୟା ସାଜିଥିବା ଡାକ୍ତର ଅଭାବ ଏବେ ଦୂର ହେବାକୁ ଯାଉଛି । ମେଡିକାଲ କଲେଜ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ଡାକ୍ତରଙ୍କ ଉପଲବ୍ଧି ସୁନିଶ୍ଚିତ କରାଯିବ । ଖୁବ୍ କମ୍ ଦିନ ଭିତରେ ତିନିଟି ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ୮ ହଜାର ଡାକ୍ତରଙ୍କୁ ନିଯୁକ୍ତି ଦେବ । ଏଥିପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଗତବର୍ଷ ସୁଦ୍ଧା ରାଜ୍ୟରେ ପ୍ରାୟ ୪୦% ଡାକ୍ତର ପଦବୀ ଖାଲି ପଡ଼ିଥିଲା । ଗତବର୍ଷ ବିଭିନ୍ନ ବର୍ଗରେ ଡାକ୍ତର ନିଯୁକ୍ତି ହୋଇଥିଲା । ତେବେ ଅତିରିକ୍ତ ୩ ହଜାର ଡାକ୍ତର ପଦବୀ ସୃଷ୍ଟି କରାଯାଇ ଥିବା ବେଳେ ସେଥିରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ଆଉ ୫ ହଜାର ଏମ୍ବିବିଏସ୍ ଡାକ୍ତର ପଦବୀ ସୃଷ୍ଟି କରାଯିବ । ଏହା ପୂର୍ବରୁ ଅର୍ଥ ବିଭାଗ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରି ସାରିଛି । ତେଣୁ ଚଳିତ ବର୍ଷ ସୁଦ୍ଧା ଏଥିରୁ ଅର୍ଦ୍ଧାଧିକ ପଦବୀ ପୂରଣ ହେବା ସମ୍ଭାବନା ଅଛି । ୨୦୨୪ ସୁଦ୍ଧା ରାଜ୍ୟରେ ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ଚଳିତ ବର୍ଷ ସେପ୍େଟମ୍ବର ସୁଦ୍ଧା ଆମେ ରାଜ୍ୟରେ ୯୦% ଏମ୍ବିବିଏସ୍ ପଦବୀ ପୂରଣ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ପ୍ରାୟ ୮ ହଜାର ଡାକ୍ତର ପଦବୀ ପୂରଣ ହେବ । କାରଣ ଏଥିପାଇଁ ବିଧିବଦ୍ଧ ଅନୁମତି ମିଳି ସାରିଛି । ଡାକ୍ତରଖାନାକୁ ଆସୁଥିବା ଲୋକଙ୍କ ଶତପ୍ରତିଶତ ସନ୍ତୁଷ୍ଟି ହାସଲ ଉପରେ ଆମେ ଗୁରୁତ୍ୱ ଦେଉଛୁ ।
ସେଥିପାଇଁ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହିତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପର୍ଯ୍ୟପ୍ତ ଉପଲବ୍ଧତା ଜରୁରୀ । ତେଣୁ ବର୍ଷକ ମଧ୍ୟରେ ଡାକ୍ତର ଅଭାବ ପ୍ରାୟତଃ ଦୂର ହୋଇଯିବ ବୋଲି ଶ୍ରୀମତି ପଣ୍ଡିତ ବିଶ୍ୱାସବ୍ୟକ୍ତ କରିଛନ୍ତି । ଏମ୍ସ, ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି, ଆମ ଦେଶରେ ଆରମ୍ଭରୁ ଡାକ୍ତରଙ୍କ ଅଭାବ ରହି ଆସିଛି । ଶତ ପ୍ରତିଶତ ରୋଗୀ ସେବା ସୁନିଶ୍ଚିତ କରିବା ଦିଗରେ ଏହା ଡେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ । ତେବେ ପୂର୍ବାପେକ୍ଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦୂର ହେବାରେ ଲାଗିଛି । ଏହି ପ୍ରକ୍ରିୟା ଜାରି ରହିଲେ ଡାକ୍ତର ଅଭାବ ଦୂର ହେବାରେ ସମସ୍ୟା ରହିବ ନାହିଁ । ନିଯୁକ୍ତି ପାଉଥିବା ଡାକ୍ତରମାନଙ୍କୁ ଜିଲ୍ଲା ମୁଖ୍ୟାଳୟ ସମେତ ସବ୍ ଡିଭିଜନ୍ ହସ୍ପିଟାଲ, ପିଏଚ୍ସି, ସିଏଚ୍ସିରେ ନିୟୋଜିତ କରାଯାଉଛି । ଯଦ୍ଦ୍ୱାରା ନିଜ ଆଖ ପାଖ ଅଞ୍ଚଳରେ ଥିବା ଡାକ୍ତରଖାନାରେ ଚିକିତ୍ସା ମିଳିବ ଏବଂ ସେମାନେ ଆଉ ସହରର ମୁଖ୍ୟ ଚିକିତ୍ସାଳୟକୁ ଆସିବା ପାଇଁ ବାଧ୍ୟ ହେବେ ନାହିଁ ।
ଡାକ୍ତର ଅଭାବ ଦୂର ପାଇଁ ଓଡ଼ିଶା ସରକାର ବାହାର ରାଜ୍ୟର ମେଡିକାଲ ଗ୍ରାଜୁଏଟ୍ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ଓଡ଼ିଶା ମେହିକାଲ ହେଲଥ୍ ସର୍ଭିସ୍ (ଓଏମ୍ଏଚ୍ଏସ୍) ରୁଲ୍-୨୦୧୭ରେ ସଂଶୋଧନ କରି ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଅଧିକ ଦରମାରେ ନିଯୁକ୍ତି ପ୍ରଦାନ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଗତ ନଭେମ୍ବର ମାସରେ ସରାକର ୨୦୦୦ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିଥିଲେ । ଏହାକୁ ମିଶାଇ ରାଜ୍ୟରେ ଓଏମ୍ଏଚ୍ଏସ୍ କ୍ୟାଡର୍ରେ ଅନୁମୋଦିତ ଡାକ୍ତର ପଦବୀ ସଂଖ୍ୟା ୧୦ ହଜାର ୫୦୦ରୁ ଅଧିକ ରହିଛି । ଏଥିରେ ଜେନେରାଲ ଡ୍ୟୁଟି ଏବଂ ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପଦବୀ ଅନ୍ତର୍ଭୁକ୍ତ । ସମ୍ପ୍ରତି ସରକାରୀ ମେଡିକାଲ କଲେଜରେ ୧୪୫୦ ଏମ୍ବିବିଏସ୍ ସିଟ୍ ସହିତ ୫୫୦ ପିଜି ସିଟ୍ରେ ପାଠ ପଢ଼଼ା ହେଉଛି ।
ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁ ଭବନ ଏବଂ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଥିବା ପିଜି ଇନ୍ଷ୍ଟିଚ୍ୟୁଟ୍ରେ ପିଜି ପାଠ୍ୟକ୍ରମ ରହିଛି । ଓଡ଼ିଶା ମେଡିକାଲ ଟିଚର୍ସ ଆସୋସିଏସନ୍ (ଓମ୍ଟା)ର ସଭାପତି ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମର ଡାକ୍ତର ଅଭାବ ପୂରଣ କରିବା ଆବଶ୍ୟକ । ଡାକ୍ତରଖାନାରେ ଚିକିତ୍ସା ହେଉ ଅବା ମେଡିକାଲ କଲେଜରେ ପାଠ ପଢ଼଼ା ସବୁଠି ଅଭିଜ୍ଞ ଏବଂ ବରିଷ୍ଠ ଡାକ୍ତରଙ୍କର ଆବଶ୍ୟକତା ରହିଛି । ତେବେ ଖୁସିର କଥା ଯେ ମୁଖ୍ୟମନ୍ତ୍ରୀ ଏଭଳି ଏକ ଜରୁରୀ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ମେଡିକାଲ ଅଫିସର ଏବଂ ଶିକ୍ଷକ ପଦବୀ ପୂରଣ ଲାଗି ପଦକ୍ଷେପ ନେଉଛନ୍ତି । ପୂର୍ବାପେକ୍ଷା ସ୍ଥିତିରେ ବହୁତ ସୁଧାର ଆସିଛି ଏବଂ ଶୀଘ୍ର ବଡ଼ ପରିବର୍ତ୍ତନ ଆଶା କରାଯାଉଛି ବୋଲି ଡା ପଣ୍ଡା ମତବ୍ୟକ୍ତ କରିଛନ୍ତି ।