୪୦ ଡିଗ୍ରୀ ଉପରେ ୮ ସହର
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ବିଶେଷ କରି ପଶ୍ଚିମ ଓଡିଶାରେ ଖରାର ପ୍ରକୋପ ଅଧିକ ଦେଖିବାକୁ ମିଳୁଛି । ସୋମବାର ଦିନ ରାଜ୍ୟର ୮ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି । ବଲାଙ୍ଗୀର ସହରରେ ସର୍ବାଧିକ ଦିନ ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବଲାଙ୍ଗୀର ପରେ ଟିଟିଲାଗଡରେ ଦ୍ୱିତୀୟ ସର୍ବାଧିକ ୪୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୦.୮ ଡିଗ୍ରୀ, ସୋନପୁର ଓ ଭବାନୀପାଟଣାରେ ୪୦.୬ ଡିଗ୍ରୀ, ସୁନ୍ଦରଗଡରେ ୪୦.୫ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୪.୪ ଓ କଟକରେ ୩୪.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।