ନୋଟବନ୍ଦୀକୁ ପୁରିଲା ୬ ବର୍ଷ : ବଢ଼ିଛି ଟିକସ ଓ ଅନଲାଇନ୍ କାରବାର
ନୂଆଦିଲ୍ଲୀ: ଦେଶରେ ନୋଟବନ୍ଦୀକୁ ପୁରିଲା ୬ ବର୍ଷ । ୨୦୧୬ ଅକ୍ଟୋବର ୮ ତାରିଖରେ ଭାରତ ସରକାର ଦେଶରୁ ପାଂଚ ଶହ ଏବଂ ହଜାରେ ଟଙ୍କିଆ ନୋଟ ବ୍ୟାନ୍ ଘୋଷଣା କରିଥିଲେ । ବିରୋଧୀ ଦଳମାନେ ନୋଟବନ୍ଦୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବା ସହ କେନ୍ଦ୍ର ସରକାରକୁ କଟୁ ସମାଲୋଚାନା କରିଥିଲେ । ସାରା ଦେଶରେ ନୋଟବନ୍ଦୀକୁ ନେଇ ଆନ୍ଦୋଳନ ତୀବ୍ର ହେବା ସହ ତୁମ୍ବି ତୋଫାନ ହୋଇଥିଲା । କେନ୍ଦ୍ର ସରକାର ନୋଟବନ୍ଦୀକୁ ସକରାତ୍ମକ ବୋଲି ଦର୍ଶାଇଥିଲେ । କିନ୍ତୁ ନୋଟବନ୍ଦୀର ମୂଳ ଉଦ୍ଦେଶ୍ୟ ଯାହାଥିଲା ତାହାର ପରିଣାମ ଦେଖିବାକୁ ମିଳିନଥିଲା, ବରଂ ସାଧାରଣ ଲୋକଙ୍କ ଠାରୁ ଜାତୀୟ ଅର୍ଥନୀତି ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଥିଲା ।
ଆଜିବି ନୋଟବନ୍ଦୀକୁ ନେଇ ଚର୍ଚ୍ଚା ଥମିନାହିଁ । ଦେଶର ପ୍ରତ୍ୟେକଟି ନାଗରିକ ଏହାକୁ ସାମ୍ନା କରିଥିଲେ । ୨୦୧୬ ନଭେମ୍ବର ୮ ତାରିଖ ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ ପାଂଚ ଶହ ଏବଂ ହଜାରେ ଟଙ୍କିଆ ନୋଟ ବନ୍ଦ କରିବାକୁ ଘୋଷଣା କରିଥିଲେ । ତା ସହିତ ନୂଆ ୨ ଶହ ଟଙ୍କିଆ, ୫ ଶହ ଟଙ୍କିଆ ଏବଂ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ ପାଇଁ ଘୋଷଣା କରିଥିଲେ । ସାଧାରଣ ଲୋକମାନେ ନୋଟବନ୍ଦୀ ବେଳେ ସାମ୍ନା କରିଥିବା ସମସ୍ୟାକୁ ଆଜିବି ଭୁଲି ନାହାଁନ୍ତି । ନୋଟବନ୍ଦୀର ପ୍ରଭାବ ସବୁଠାରୁ ବେଶି ସେହି ଉଦ୍ୟୋଗ ଗୁଡିକ ଉପରେ ପଡିଥିଲା ଯେଉଁମାନେ ବିଶେଷ କରି ନଗଦ କାରବାର କରୁଥିଲେ । ଏଥିରେ ଲଘୁ ଉଦ୍ୟୋଗୀମାନେ ବେଶି ପ୍ରଭାବିତ ହୋଇଥିଲେ । ବ୍ୟବସାୟ କରିବା ପାଇଁ ଏମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏମିତିକି ବହୁ ଲଘୁ ଉଦ୍ୟୋଗୀ ସେମାନଙ୍କ ବେଉସା ହରାଇଲେ ଏବଂ ଅନେକ ଲୋକଙ୍କୁ ଚାକିରି ହରାଇବାକୁ ପଡିଥିଲା । ଅଚାନକ ନୋଟବନ୍ଦୀକୁ ସହଜରେ ହଜମ କରିପାରିଲେ ନାହିଁ ଦେଶବାସୀ । ସାରା ଦେଶରେ ଅରାଜକତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକମାନେ ଟଙ୍କା ବଦଳାଇବାକୁ ଏବଂ ଜମା କରିବାକୁ ଖରା, ବର୍ଷାରେ ଛିଡା ହୋଇ ବ୍ୟାଙ୍କମାନଙ୍କରେ ଲମ୍ବା ଲାଇନ ଲଗାଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନୋଟବନ୍ଦୀ ସହିତ ଜଡିତ ନିୟମଗୁଡିକୁ ବାରମ୍ବାର ବଦଳାଇଲେ । ନୋଟବନ୍ଦୀ କରିବା ପୂର୍ବରୁ ସରକାର ଆଗୁଆ କୌଣସି ପ୍ରସ୍ତୁତି କରିନଥିଲେ ବୋଲି ବିରୋଧି ଅଭିଯୋଗ ଆଣିଥିଲେ । ମୋଦି ସରକାର ନୋଟବନ୍ଦୀ କରିବାର କିଛି ପ୍ରମୁଖ କାରଣ ଗଣମାଧ୍ୟମ ସାମ୍ନାରେ ରଖିଥିଲେ । କଳାଧନ ବାହାର କରିବା, ଦେଶରେ ନକଲି ନୋଟ କାରବାରକୁ ବନ୍ଦ କରିବା , ଆତଙ୍କବାଦ ଏମଂ ନକ୍ସଲ ଗତିବିଧି ଉପରେ ଲଗାମ ଲଗାଇବା ସମେତ ଅର୍ଥନୀତି ବୃଦ୍ଧି ଭଳି କାରଣ ଦେଶବାସୀଙ୍କ ସାମ୍ନାରେ ରଖିଥିଲେ ସରକାର ।