ମେଣ୍ଟୁନି କି ଲୌହ ଦାନବର ରକ୍ତ ପିପାଷା ? ଟ୍ରେନ୍ ଚକାରେ କଟିଗଲେ ୬, ୪ ଗୁରୁତର
ଯାଜପୁର : ଏମିତି ବି ଆସେ ମୃତ୍ୟୁ । ମେଣ୍ଟୁନି କି ଲୌହ ଦାନବର ରକ୍ତ ପିପାଷା ? ବାଲେଶ୍ୱର ଜିଲା ବାହାନଗା ଟ୍ରାଜେଡି ପରେ ଯାଜପୁର ରୋଡରରେ ଆଉ ଏକ ଲୋମଟାଙ୍କୁରା ଅଘଟଣ । ଟ୍ରେନ ୱାଗନ ତଳେ ବର୍ଷା ଲାଗି ଆଶ୍ରୟ ନେଇଥିବା ୬ ଜଣ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି । ଆଉ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ଅପରାହ୍ଣରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ ।
ବାଲେଶ୍ୱର ଟ୍ରେନ ଦୁର୍ଘଟଣା ଦୁଃଖ ଲୋକଙ୍କ ମନରୁ ଏବେ ବି ଲିଭି ନଥିବା ବେଳେ ଯାଜପୁରରୁ ପୁଣି ଏକ ଟ୍ରେନ ଜନିକ ଦୁର୍ଘଟଣା ଖବର ସାମନାକୁ ଆସୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବହୁ ଦିନ ଧରି ସେଠାରେ ଥିବା ୱାଗନ ତଳେ କିଛି ଶ୍ରମିକ ଶୋଇ ରହିଥିଲେ ତେବେ ଏହି ସମୟରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ୱାଗନଟି ଆପେ ଆପେ ଗଡ଼ି ଯାଇଥିଲା । ଲୋକେ ଦେଖୁ ଦେଖୁ ଭୟଙ୍କର ଅଘଟଣ ଘଟିଯାଇଥିଲା । ସମସ୍ତେ ଶ୍ରମିକ ଥିବା କୁହାଯାଉଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ବୁଧବାର ଅପରାହ୍ଣରେ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ। ଷ୍ଟେସନ୍ରେ ଠିଆ ହୋଇଥିବା ଟ୍ରେନ୍ଟି ଅଳ୍ପ ସମୟ ପରେ ଆଗକୁ ବଢ଼ିଥିଲା। ଫଳରେ ଟ୍ରେନ୍ର ଚକା ତଳେ ଘଟଣାସ୍ଥଳରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଥିମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଯେ, ଗତ ଜୁନ ୨ରେ ବାଲେଶ୍ୱରର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ଚିତ୍ର ଏବେ ବି ଲୋକଙ୍କ ଆଖି ଆଗରେ ଜୀବନ୍ତ ରହିଛି । ଭୁଲି ହେଉନି ସେହି ଦୃଶ୍ୟକୁ । ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ । ଭାରତ ରେଳ ଇତିହାସରେ ଘଟିଥିବା ସବୁଠୁ ବଡ଼ ଦୁର୍ଘଟଣା ମଧ୍ୟରୁ ଏହା ଥିଲା ଗୋଟିଏ ।